ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ଚଳିତ ମାସ ୨ ତାରିଖରେ ଗଣଧାରଣା ଦେଇଥିଲା ବିଜେପି । ତେବେ ଏହି ସମୟରେ ଶାସକ ଦଳର କିଛି ଅସାମାଜିକ ଲୋକ ଦଳକୁ ବଦନାମ କରିବା ପାଇଁ ସରକାରୀ ଆସବାବପତ୍ର ଭାଙ୍ଗିଥିବା ହୋଇଛି ଅଭିଯୋଗ । ଆଜି(ଗୁରୁବାର) ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଜିଲ୍ଲାର ତିହିଡ଼ି ବ୍ଲକରେ ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ଅଗଷ୍ଟ ୨ରେ ଏକ ଗଣଧାରଣାର ଡାକରା ଦେଇଥିଲା ବିଜେପି । ବ୍ଲକରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, NREGS ପ୍ରଭୃତି ଜନ କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଗଣଧାରଣା ଦିଆଯାଇଥିଲା । ତେବେ ଏହି ସମୟରେ ବ୍ଲକରେ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବିଜେପି କହିଛି ।
ଏହାର ସୁଯୋଗ ନେଇ ଶାସକ ଦଳର କିଛି ଅସାମାଜିକ ଲୋକ ସରକାରୀ ଆସବାବପତ୍ର ଭାଙ୍ଗିବା ସହ ବିଶୃଙ୍ଖଳିତ ଆଚରଣ କରିଥିଲେ । ତେବେ ଉଦ୍ଦେଶ୍ୟମୂଳକ ଭାବେ ପୋଲିସକୁ ଅସ୍ତ୍ର କରି, ଭାରତୀୟ ଜନତା ପାର୍ଟିକୁ ବଦନାମ କରିବା ପାଇଁ ଦଳର କିଛି କର୍ମୀମାନଙ୍କୁ ଗିରଫଦାରୀକୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ଏହିପରି ହୀନ କାର୍ଯ୍ୟକଳାପ ତୁରନ୍ତ ବନ୍ଦ ନକଲେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ଥାନା ଘେରାଉ କରାଯିବା ସହ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ। ଆଗାମୀ ଦିନରେ ଏହାକୁ ରାଜ୍ୟସ୍ତରୀୟ ପ୍ରତିବାଦ କରାଯିବା ସହ ବିଧାନସଭା ଓ ଡି.ଜି. ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ