ଭଦ୍ରକ: ଆବାସ ଯୋଜନାରେ ଦୁର୍ନୀତିର ଚେର ସମ୍ପୂର୍ଣ୍ଣ ରାଜ୍ୟକୁ ବ୍ୟାପୀଥିବା ଅନୁମାନ କରାଯାଉଛି । କିଛିଦିନ ତଳେ ବୌଦ୍ଧରୁ ଏପରି ଅଭିଯୋଗ ବାରମ୍ବାର ଆସିବା ପରେ ଏବେ ଭଦ୍ରକରୁ ଆସିଛି ଆବାସ ଯୋଜନାକୁ ନେଇ ସମାନ ଅଭିଯୋଗ । ଜିଲ୍ଲା ତିହିଡି ବ୍ଲକ କୁବେରା ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ପଞ୍ଚାୟତ ପ୍ରଶାସନ ପକ୍ଷରୁ ଚଞ୍ଚକତା କରାଯାଇ ହିତାଧିକାରୀଙ୍କ ଚିଠାରେ ନାମ ଥାଇ ମଧ୍ଯ ସେମାନଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ପାଇଥିବା ତଥା ଦୁଇ ମହଲା କୋଠାଘର ଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । ପଞ୍ଚାୟତର ସରପଞ୍ଚ ପ୍ରତିନିଧିଙ୍କ ସମେତ ଜିଆରଏସଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯାଇ ଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦିଆ ଯାଇଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ ସବିଶେଷ ତଦନ୍ତ କରାଯାଇ ଅଯୋଗ୍ୟ ମାନଙ୍କୁ ବାଦ୍ ଦେବା ସହିତ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବା ଲାଗି ପଞ୍ଚାୟତବାସୀ ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆ ଯାଇଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ