ଭଦ୍ରକ: ମୋବାଇଲ ଦେଖିବାକୁ ମନା କରିବାରୁ ନାବାଳକର ଆତ୍ମହତ୍ୟା । ମୋବାଇଲ ଦେଖିବାକୁ ମାଆ ବାରଣ କରିବାରୁ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ । ଏଭଳି ଅଘଟଣ ଘଟିଛି ନାୟକାନିଡିହି ଥାନା ବାଲିମେଦ ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ।
ମୃତ ନାବାଳକ ସେହି ଗାଁର ବସନ୍ତ ନାୟକଙ୍କ ପୁଅ ଦେବଙ୍କର ନାୟକ ବୋଲି ଜଣାପଡିଛି । ଦେବଙ୍କର ବାଲିମେଦ ଭେଡା ସହଯୋଗ ହାଇସ୍କୁଲର ନବମ ଶ୍ରେଣୀରେ ପଢୁଥିଲା । ଆଜି(ସୋମବାର) ଅପରାହ୍ନରେ ଦେବଙ୍କର ମୋବାଇଲ ଦେଖୁଥିବା ସମୟରେ ମାଆ ଏଥିପାଇଁ ବାରଣ କରିଥିଲେ । ଏହାକୁ ନେଇ ଦେବଙ୍କର ରାଗି ଯାଇ ଘର ଭିତରେ କେହି ନଥିବାର ସୁଯୋଗରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାୟକାନିଡ଼ିହି ପୋଲିସ ପହଞ୍ଚି ମୃତଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ