ଭଦ୍ରକ: ବୟସ ମାତ୍ର 4 ବର୍ଷ। ରାଜନୀତିର ‘ର’ ଅକ୍ଷର ମଧ୍ୟ ଜଣାନାହିଁ । ପଞ୍ଚାୟତ ନିର୍ବାଚନରେ କିନ୍ତୁ ଭାଉଜଙ୍କ ନିର୍ବାଚନୀ ପ୍ରଚାରରେ ସାମିଲ ହେଉଛି । ଆଉ ଅଭିଜ୍ଞଙ୍କ ଭଳି ଲୋକଙ୍କ ନିକଟକୁ ଆସି ନମସ୍କାର କରି ଭୋଟ ମାଗୁଛି । ଆଉ କହୁଛି ଭାଉଜ ଓ ସାରଙ୍କ ନିର୍ବାଚନୀ ସଂକେତରେ ଭୋଟ ଦିଅନ୍ତୁ ଓ ଜିତାଇ ଦିଅନ୍ତୁ । ହେଲେ ଏହି ପ୍ରଚାର ବାଧ୍ୟବାଧକତାରେ ନୁହେଁ। ଭାଉଜ ଘରୁ ବାହାରିବା ମାତ୍ରକେ କୁନି ନଣନ୍ଦ ମଧ୍ୟ ପ୍ରଚାରରେ ଯିବାକୁ ଜିଦି ଧରୁଛି ।
ଘଟଣା ହେଉଛି ଭଦ୍ରକ ଜିଲ୍ଲା ବନ୍ତ ଚାରିଗାଁ ପଞ୍ଚାୟତର । ପଞ୍ଚାୟତର କନକଲତା ଭୋଳ ଏବେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ପ୍ରଚାର ଯୋରଦାର ଚାଲିଥିବା ବେଳେ, ଏବେ ଜଣେ କୁନି ପ୍ରଚାରକଙ୍କୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା । କାରଣ ସମ୍ପର୍କୀୟ ଭାଉଜ କନକଲତା ପ୍ରଚାର ପାଇଁ ବାହାରିଲେ ସଂଗୀତା ମଧ୍ୟ ଯିବାକୁ ଜିଦି କରୁଛି । ଆଉ ଲୋକଙ୍କ ପାଖକୁ ଯାଇ କହୁଛି ଆଜ୍ଞା ନମସ୍କାର... ମୁଁ ସଂଗୀତା କୁଣ୍ଡୁ। ମୋ ଭାଉଜଙ୍କୁ ଖୋଲା ବହି ଚିହ୍ନରେ ଭୋଟ ଦେଇ ଜିତାଇ ଦିଅନ୍ତୁ... ସାରଙ୍କୁ ବି ବସଗାଡି ଚିହ୍ନରେ ଭୋଟ ଦିଅନ୍ତୁ । ଏମିତି କଅଁଳ କଣ୍ଠରେ ଭୋଟଭିକ୍ଷା କରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଏହି 4 ବର୍ଷର ଶିଶୁକନ୍ୟା ।
କେବଳ ଭାଉଜ ନୁହେଁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ମୈଦାନରେ ଥିବା ଅବସରପ୍ରାପ୍ତ ଶିକ୍ଷକ ରଥ ବେହେରାଙ୍କ ପାଇଁ ମଧ୍ୟ ଭୋଟ ମାଗିବାକୁ ଭୁଲୁ ନାହିଁ ସଙ୍ଗୀତା । ପ୍ରଚାରରେ ଯିବା ପାଇଁ ଜିଦି କରିବା ସହ ମାଇଲ ବାଟ ଚାଲି ଚାଲି ଭୋଟ ମାଗୁଛି । ସେପଟେ ଏହି କୁନି ଝିଅର ପ୍ରଚାର ମଧ୍ୟ ପଞ୍ଚାୟତବାସୀଙ୍କୁ ଆକୃଷ୍ଟ କରୁଛି । ଲୋକେ ତାକୁ ଦେଖିବାକୁ ଭିଡ ଲଗାଉଛନ୍ତି । ଚାରିଗାଁ ପଞ୍ଚାୟତରେ 13 ଟି ୱାର୍ଡ ଥିବା ବେଳେ ଭୋଟର ରହିଛନ୍ତି 5 ହଜାରୁ ଅଧିକ । ଏଠି ଆସନ୍ତା 16 ତାରିଖରେ ମତଦାନ କରିବେ ପଞ୍ଚାୟତବାସୀ ।
ତେବେ ଏହି ଶିଶୁ କନ୍ୟା ସଂଗୀତାର ପ୍ରଚାର ଲୋକଙ୍କୁ କେତେ ପ୍ରଭାବିତ କରୁଛି, ଆଉ ନିର୍ବାଚନରେ କେତେ ଫଳପ୍ରଦ ହେଉଛି ତାହା ନିର୍ବାଚନ ଫଳାଫଳ କହିବ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ