ଭଦ୍ରକ: ବାଲି ଉଠାକୁ କେନ୍ଦ୍ର କରି ଠେଙ୍ଗା ମାଡରେ ବିଜୟ ବେହେରା ନାମକ ଜଣକ ଯୁବକଙ୍କୁ ହତ୍ୟା କରାଯାଇଥିବା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତକୁ ଭଦ୍ରକ ପୋଲିସ ଗିରଫ କରିଛି । ଏପରି ଅଭାବନୀୟ ଘଟଣା ସେପ୍ଟେମ୍ବର 19 ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଅନ୍ତର୍ଗତ ରାଉତରା ଗାଡିଆ ପାଟଣା ଗ୍ରାମରେ ଘଟିଥିଲା ।
ତେବେ ମୃତକଙ୍କ ସାନଭାଇ ଯୁଧିଷ୍ଠର ବେହେରାଙ୍କ ଏତଲା ଆଧାରରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ 5 ଜଣଙ୍କ ନାଁରେ ହତ୍ୟା ମାମାଲା ରୁଜୁ କରିଥିଲା। ଏନେଇ ପୋଲିସ ପକ୍ଷରୁ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ 2ଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଥିଲା। 2ଜଣ ପୋଲିସ ଅଧିକାରୀଙ୍କ ନେତୃତ୍ବରେ ଅଭିଯୁକ୍ତ ନୀଳମଣି ମହାରଣାକୁ ଚରମ୍ପା ଓ ଗୁରୁ ମହାରଣାକୁ ଭୂବନେଶ୍ବର ରେଳଷ୍ଟେସନରୁ ଗିରଫ କରିଛି ଭଦ୍ରକ ପୋଲିସ। ଏଥିସହ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରିଛି।
ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରି କୋର୍ଟଚାଲାଣ କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ