ବରଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜଣେ ପ୍ରବାସୀଙ୍କ ମୃତଦେହ ପଡିଥିବା ବେଳେ ଭୟରେ କେହି ତା ନିକଟକୁ ଯାଉନଥିବା ଦେଖିବାକୁ ମିଳିଛି । ବୁଧବାର ବିଳମ୍ବିତ ରାତିରେ ଓଡିଶା ସୀମାନ୍ତରେ ହଠାତ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ଏହି ପ୍ରବାସୀଙ୍କୁ ଖେଦାପାଳି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କୋରୋନା ସଂକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଭୟରେ କେହି ତାଙ୍କ ପାଖକୁ ଯାଉନାହାନ୍ତି। ଫଳରେ ବୁଧବାର ରାତିରୁ ହସ୍ପିଟାଲ ବାହାରେ ଷ୍ଟ୍ରେଚର ଉପରେ ମୃତଦେହ ସେମିତି ପଡିରହିଛି ।
ଓଡିଶା ସୀମାନ୍ତ ବରଗଡ ଜିଲ୍ଲାର ଲୁହୁରାଚଟି ଦେଇ ପ୍ରତିଦିନ ହଜାର ହଜାର ପ୍ରବାସୀଙ୍କ ଆଗମନ ହେଉଥିବା ବେଳେ ସମସ୍ତଙ୍କୁ ପଞ୍ଜିକରଣ କରି ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ପଡୁଛି । ତେବେ ରାଜ୍ୟ ବାହାରକୁ ଯିବାକୁ ଥିବା ବହୁ ପ୍ରବାସୀ ମଧ୍ୟ ଓଡିଶା ସୀମାନ୍ତରେ ଫସିରହିଥିବା ବେଳେ ସୀମାନ୍ତରେ ପ୍ରବଳ ଭିଡ ଲାଗିରହୁଛି । ଏହି ସମୟରେ ପଶ୍ଚିମବଙ୍ଗର ବାସିନ୍ଦା ନୁରୁଲ ଇସଲାମ ମହିମ ନାମକ ଜଣେ ୫୩ ବର୍ଷର ବ୍ୟକ୍ତିଙ୍କର ରାତି ୯ ଟା ୩୦ରେ ଓଡ଼ିଶା ସୀମାନ୍ତ ଲୁହୁରାଚଟି ଠାରେ ଅନ୍ୟ ସାଥି ଶ୍ରମିକ ମାନଙ୍କ ସହିତ ଅପେକ୍ଷା କରିଥିଲେ । ହେଲେ ସେଠାରେ ସେ ଅସୁସ୍ଥତା ଅନୁଭବ କରିବା ସହିତ ଚେତାଶୁନ୍ୟ ହୋଇପଡିଥିଲେ । ପରେ ସ୍ଥାନୀୟ ପୋଲିସ ସାହାଯ୍ୟରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବରଗଡ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ସମୟ ଠାରୁ ମେଡିକାଲ ପରିସରରେ ତାଙ୍କମୃତଦେହ ପଡିରହିଛି ।
ତେବେ ମୃତକଙ୍କ ଆଧାର କାର୍ଡରୁ ତାଙ୍କର ପରିଚୟ ଜଣାପଡିଛି ଯେ ସେ ପଶ୍ଚିମବଙ୍ଗ ବାସିନ୍ଦା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ