ବରଗଡ: ରାଜ୍ୟରେ ଅନଲକ-6 ପର୍ଯ୍ୟାୟ ଜାରି ହୋଇଛି । ଜୀବନ-ଜୀବିକାକୁ ସ୍ବାଭାବିକ କରିବାକୁ ସରକାର ଲକଡାଉନ ହଟାଇଛନ୍ତି । ହେଲେ ଲକଡାଉନ ପର ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 7 ମାସ ପରେ ମଧ୍ୟ ଶ୍ରମିକଙ୍କୁ ମିଳୁନି କାମଧନ୍ଦା । ଫଳରେ ଦିନ ମଜୁରିଆଙ୍କୁ ନା ମିଳୁଛି କାମ ନା ଜଳୁଛି ଚୁଲି ।
ମହାମାରୀ କୋରୋନା ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଲୋକଙ୍କ ହାତରେ ଅର୍ଥ ଅଭାବରୁ କୌଣସି ନିର୍ମାଣମୂଳକ କାମ ହେଉ ନାହିଁ । ଯଦ୍ବାରା ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବରଗଡ ସହରର ଶ୍ରମିକ ବଜାରରେ ପ୍ରତିଦିନ କାମ ଅନ୍ବେଷଣରେ ଆସୁଥିବା ଶ୍ରମିକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ କିଛି କାମ ମିଳିପାରୁନାହିଁ । ଖାଲି ହାତରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି |
କୋରୋନା ସଂକ୍ରମଣ ଯୋଗୁ ବରଗଡର ଶ୍ରମିକ ବଜାରକୁ ବନ୍ଦ ରଖାଯାଇଥିଲା । ଏବେ ଶ୍ରମିକ ବଜାର ଆରମ୍ଭ ହେଲେ କାମଧନ୍ଦାର ଦେଖାନାହିଁ । ଦୀର୍ଘ 7 ମାସ ଯେମିତି କଷ୍ଟେମଷ୍ଟେ ଚଳିଗଲେ ହେଲେ ଆଗକୁ କିପରି ଚଳିବେ ତାକୁ ନେଇ ଚିନ୍ତାରେ ଶ୍ରମିକ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ