ବରଗଡ: ଭଟଲି ଛକ ଠାରେ ବାଘଛାଲ ଡିଲ ବେଳେ ଏସଟିଏଫ ହାତରେ ଧରାପଡିଲେ ତିନିଜଣ । ୩ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ । ଏଥିସହ କିଛି ବନ୍ୟପ୍ରାଣୀଙ୍କ ନଖ ଓ ଦାନ୍ତ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଲେ ବରଗଡ ଭଟଲି ଖଜୁରିପାଲିର ସତ୍ୟବାନ ସାହୁ, ସୌକି ଥେଟୁଆ ଓ ମଇତି ଭୁଇଁ ।
ବରଗଡ଼ ଟାଉନ ଥାନାରେ ସମସ୍ତ 3 ଜଣଙ୍କୁ ପଚରାଉଚରା ଚାଲିଥିବା ବେଳେ ଭଟଲି ବ୍ଲକ ଜଙ୍ଗଲ ଭିତରୁ ଏହି ଛାଲ, ନଖ ସଂଗ୍ରହ କରାଯାଇଥିବା ଅନୁମାନ କରାଯାଉଛି । ସେମାନଙ୍କ ଠାରୁ 11 ଗୋଟି ବାଘ ନଖ , 4 ଗୋଟି ବାଘ ଦାନ୍ତ ଓ ବାଘ ଛାଳ ଜବତ କରାଯାଇଛି । ଜବତ ହୋଇଥିବା ଛାଲ 4 ବର୍ଷ ବୟସ ବାଘର ବୋଲି ଅନୁମାନ କରାଯାଉଛି ଏବଂ ଗୋଟେ ମାସ ତଳେ ଏହାର ଶିକାର କରାଯାଇଥିବା ଜଣାପଡିଛି ।
ବରଗଡ ଜିଲ୍ଲାରେ ପୂର୍ବରୁ ମଧ୍ୟ ମହାବଳ ବାଘର ଶିକାର କରାଯାଇଥିବା ବେଳେ 7 ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ସେହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ମଧ୍ୟ ଆଜିର ଏହି ଘଟଣାରେ ଗିରଫ ହୋଇଛି । ବରଗଡ ଜିଲ୍ଲାରେ ରହିଥିବା ଜଙ୍ଗଲରେ ବହୁ ବନ୍ୟଜନ୍ତୁଙ୍କ ଶିକାର କରି ସେମାନଙ୍କର ମୂଲ୍ୟବାନ ଛାଲ, ନଖ ଓ ଦାନ୍ତ ସବୁ ବାହାର ଅଞ୍ଚଳକୁ ବିକ୍ରି କରିଦିଆଯାଉଛି ।
ମାତ୍ର ବରଗଡ ଜଙ୍ଗଲ ବିଭାଗ ଓ ବନ୍ୟବିଭାଗ ଏହାର ଟେର ପାଇପାରୁ ନଥିବା ବେଳେ କିନ୍ତୁ ରାଜ୍ୟ ବାହାରୁ ୱାଇଲ୍ଡ ଲାଇଫ ବିଭାଗ ଖବର ପାଇ ବରଗଡରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହେଉଛନ୍ତି । ଯାହାକି ଏଠାକାର ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି ।
ୱାଇଲ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ, ,ସ୍ପେଶାଲ ଟାସ୍କ ଫୋର୍ସ ,ବରଗଡ଼ ଟାଉନ ପୋଲିସ ଏବଂ ବରଗଡ଼ ବନ ବିଭାଗର ମିଳିତ ଚଢ଼ାଉରେ ସ୍ଥାନୀୟ ଭଟଲି ଛକରେ 3 ଜଣଙ୍କୁ କାବୁ କରାଯାଇଥିଲା । ଏହି 3 ଜଣଙ୍କ ଠାରୁ ଉଦ୍ଧାର କରାଯାଇଥିବା ଉକ୍ତ ବାଘ ଛାଲ , ବାଘ ନଖ କେଉଁଠାରୁ ଅଣାଯାଇଛି ଏବଂ କେଉଁସ୍ଥାନକୁ ଚାଲାଣ କରାଯାଉଥିଲା ତାହାର ତଦନ୍ତ କରାଯାଉଛି ।
ବରଗଡରୁ ରାଜେସ ସରାପ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ