ବରଗଡ: ପୋଲିସ ବିରୁଦ୍ଧରେ ଅଶ୍ଳୀଳ ବ୍ୟବହାରର ଅଭିଯୋଗ ଘଟଣାରେ ନୂଆ ମୋଡ । ବୟାନ ବଦଳାଇଲେ ପୀଡିତା ଯୁବତୀ । କିଛିଦିନ ତଳେ ପୋଲିସ ପିସିଆର ଭ୍ୟାନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କ ନାମରେ ଜଣେ ଯୁବତୀ ଅଭିଯୋଗ ଆଣିଥିଲେ।
ପୂର୍ବ ଅଭିଯୋଗ ଅନୁଯାୟୀ, ବରଗଡ ଟାଉନର ଜଣେ ଯୁବତୀ ସନ୍ଧ୍ୟା ସମୟରେ ନିଜସାଙ୍ଗ ଘରୁ ଫେରୁଥିବା ସମୟରେ ବରଗଡ ପିସିଆର ଭ୍ୟାନର ପୋଲିସ କର୍ମଚାରୀ ମାନେ ତାଙ୍କୁ ଅଟକାଇ ଘରେ ଛାଡିଦେବାକୁ ଗାଡିରେ ବସିବାକୁ କହିଥିଲେ । ଝିଅଟି ଭୟରେ ଗାଡିରେ ବସିଯାଇଥିଲେ । ମାତ୍ର ଭ୍ୟାନରେ ଥିବା ପୋଲିସ କର୍ମଚାରୀ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗାଡିରେ ବୁଲାଇ ଯୁବତୀ ଜଣଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା ।
ପୀଡ଼ିତା ଜଣକ ତାଙ୍କ ପରିବାର ସହିତ ବରଗଡ ଏସପି ଙ୍କ ନିକଟକୁ ଅଭିଯୋଗ ଦେବାକୁ ଆସିଥିଲେ । ମାତ୍ର କେଉଁ କାରଣରୁ ସେ ତାଙ୍କର ବୟାନକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ତାହା ଜଣାଇବାକୁ ସେ ଇଚ୍ଛା ପ୍ରକାଶ କରିନାହାନ୍ତି । ବରଗଡ ପୋଲିସର କାରନାମା ଘଟଣାଟି ଗଣମାଧ୍ୟମରେ ପ୍ରଚାରିତ ହେବାପରେ, ପୋଲିସ ବିଭାଗ ଉପରେ ଚାପ ପଡିଥିଲା । ପରେ ଘଟଣାକୁ ଚପାଇବା ପାଇଁ ପୀଡ଼ିତାଙ୍କୁ ଚାପ ପକାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ