ବରଗଡ: ଏବେ ବି ପୁଅ ଓ ଝିଅ ମଧ୍ୟରେ ମତଭେଦ କମିନି । ସବୁ ସଚେତନତା ଚୁଲିକୁ ଗଲା ପରି ମନେହେଉଛି । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନଥିବା ବେଳେ ଅନେକ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କାରଣ କନ୍ୟା ସନ୍ତାନ ଜନ୍ମ ହେବାରୁ ସ୍ବାମୀ ପାଖରୁ ତଡା ହେଲା ସ୍ତ୍ରୀ । ତେବେ ଏ ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ବିବାହର ଦୀର୍ଘ 11 ବର୍ଷ ପରେ ପୁଅ ଜନ୍ମ ନହୋଇ ତିନୋଟି କନ୍ୟା ସନ୍ତାନ ହେବାରୁ ସ୍ତ୍ରୀ ସହିତ ତିନି ସନ୍ତାନଙ୍କୁ ବିଦା କଲା ସ୍ବାମୀ ।
ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟୁର୍ଚ୍ଚାପାଳି ଗ୍ରାମରେ | ଚତୁର୍ଥ ସନ୍ତାନ ହେବା ପୂର୍ବରୁ କାଳେ ପୁଣି କନ୍ୟା ସନ୍ତାନ ଜନ୍ମ ହେବ ସେହି ଭୟରେ ନିଜ ସ୍ତ୍ରୀ ସହିତ ୩ ଝିଅଙ୍କୁ ଛାଡିଦେବା ପରି ଏକ ବିରଳ ଘଟଣା ଘଟିଛି ବରଗଡରେ | ତେବେ ଚତୁର୍ଥ ସନ୍ତାନ ପୁତ୍ର ଜନ୍ମ ହେବାର ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ଦ୍ଦୟ ବାପାର ଦେଖା ନାହିଁ |
ସୂଚନା ଅନୁସାରେ, ଗାଇସିଲେଟ ଥାନା ଅନ୍ତର୍ଗତ ଟୁର୍ଚ୍ଚାପାଳି ଗ୍ରାମର ଗିରିସୂତା ସାହୁ ୧୯ ବର୍ଷ ତଳେ ସେହି ଗ୍ରାମର ସୁରେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ | ହେଲେ ଗୋଟେ ପରେ ଗୋଟେ ତିନୋଟି କନ୍ୟା ସନ୍ତାନ ହେବାପରେ ଚତୁର୍ଥ ଗର୍ଭ କାଳେ ଝିଅ ହେବ ବୋଲି ସ୍ଵାମୀ ଘରୁ ତଡିଦେଇଥିଲେ । ଏନେଇ ଗାଇସିଲେଟ ଥାନାରେ ଗିରିସୂତା ସାହୁଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା |
ପରବର୍ତ୍ତୀ ସମୟରେ ପରିବାର ଲୋକେ ବରଗଡ ଏସପିଙ୍କୁ ଦେଖାକରି ଫେରିଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟିନଥିଲା | ତେବେ ଆଜି ଗିରିସୂତା ତାଙ୍କର ଚତୁର୍ଥ ପୁତ୍ର ସନ୍ତାନ ଓ 3ଟି ଝିଅ ସହିତ ଦୀର୍ଘ ୮ ବର୍ଷ ହେଲାଣି ଏକାକୀ ରହିଛନ୍ତି । ହେଲେ ତାଙ୍କୁ ନ୍ୟାୟ ମିଳିପାରୁ ନାହିଁ | ତେବେ ଗାଇସିଲେଟ ପୋଲିସ ସହଯୋଗ କରୁନଥିବାରୁ ବରଗଡ ଏସପିଙ୍କ ନିକଟକୁ ଅଭିଯୋଗ ନେଇ ପହଞ୍ଚିଥିଲେ ଗ୍ରାମବାସୀ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ