ବରଗଡ: ସ୍ଵାର୍ଥପର ଦୁନିଆରେ ମଣିଷର ମାନବିକତା ହଜିଯାଉଥିବା ବେଳେ ବିନା ସ୍ଵର୍ଥ୍ୟରେ କେହି କାହାକୁ ସାହାଯ୍ୟ କରିବା ପାଇଁ ଆଗଭର ହେଉନାହାଁନ୍ତି । ହେଲେ ନିଃସ୍ଵାର୍ଥ୍ୟପର ସେବାର ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ ଜିଲ୍ଲାର ଦୁଇଗୋଟି ସଙ୍ଗଠନ । ଅପରଚିତ ମଣିଷ ହେଉ ବା ପଶୁ ସମସ୍ତଙ୍କ ସେବା ପାଇଁ ଆଗଭର ହେଉଥିବା ସଂକଳ୍ପ ପରିବାର ଏବଂ ପଶ୍ଚିମ ଓଡିଶା ଯୁବା ମଞ୍ଚର କାର୍ଯ୍ୟକଳାପ ଯୋଗୁଁ ବରଗଡରେ ପ୍ରଶଂସାର ସୁଅ ଛୁଟୁଛି ଏହି ସମାଜସେବୀ ସଂଗଠନ ଓ କର୍ମକର୍ତ୍ତାଙ୍କୁ ।
ଦୀର୍ଘ ଦିନରୁ ନଖାଇ ନ ପିଇ ଅଜଣା ବୃଦ୍ଧାଙ୍କୁ ଅଳିଆ ଆବର୍ଜନା ଭିତରୁ ଉଦ୍ଧାର କରି ଡାକ୍ତରଖାନାକୁ ପହଞ୍ଚାଇ ମାନବ ସେବା ଯୋଗେଇଦେଇଛନ୍ତି ସଂକଳ୍ପ ପରିବାର ଏବଂ ପଶ୍ଚିମ ଓଡିଶା ଯୁବ ମଞ୍ଚ ।
ବରଗଡ ଜମୁର୍ଡା ପଞ୍ଚାଯତ ଟାଙ୍ଗରପାଳି ରାସ୍ତା କଡରେ ଦୀର୍ଘ ପାଞ୍ଚ ଦିନରୁ ଅସହାୟ ଅବସ୍ଥାରେ ପଡିରହିଥିବା ବୃଦ୍ଧ ବିଷୟରେ ଖବର ପାଇ ଉଭୟ ସଙ୍ଗଠନ ସେଠାରୁ ବୃଦ୍ଧକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ତେବେ ଉକ୍ତ ବୃଦ୍ଧ ଜଣଙ୍କର ପରିଚୟ ମିଳିନାହିଁ । ଏହାସହ ଯଦି କେହି ବୃଦ୍ଧ ଜଣଙ୍କର ପରିଚୟ ପାଆନ୍ତି ତେବେ ସଂକଳ୍ପ ପରିବାର ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ