ବରଗଡ: ପୂରଣ ହେବାକୁ ଯାଇଛି ବହୁ ପ୍ରତିକ୍ଷୀତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ । କୃଷି କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ବରଗଡ ଜିଲ୍ଲାରେ ହେବ ମେଗା ଜଳ ପ୍ରକଳ୍ପ । ଏଥିପାଇଁ ଅଣ ଜଳସେଚିତ ଜମିକୁ ଜଳ ଯୋଗାଣ ପାଇଁ ରାଜ୍ୟ କ୍ୟାବିନେଟ ମୋହର ମାରିଛନ୍ତି । ଏହି ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୩୮.୬୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।
ହୀରାକୁଦ ଡ୍ୟାମର ଜିରୋ ପଏଣ୍ଟ ଠାରୁ ୩୪.୧ କିମି ପର୍ଯ୍ୟନ୍ତ ପାଇପ୍ ଲାଇନ ବିଛାଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ୧୨୪ ଟି ଗ୍ରାମର ୩୨ ହଜାର ହେକ୍ଟର ଜମି ଜଳସେଚିତ ହେବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେଡି ଦଳ ପକ୍ଷରୁ କୁହାଯାଇଛି। ବିଜେପୁର ପ୍ରଥମ ଉପନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ମାତ୍ର ତିନୋଟି ନିର୍ବାଚନ ଯିବା ପରେ ଆଜି ରାଜ୍ୟ ସରକାର ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରି ଟଙ୍କା ମଞ୍ଜୁର କରିଛନ୍ତି ।
ପ୍ରକଳ୍ପ କାର୍ଯ୍ୟ ପାଇଁ ଏଲଏଣ୍ଡଟି ଓ ମେଘା ଇଞ୍ଜିନିୟରିଂ ଦୁଇଟି ସଂସ୍ଥା ଟେଣ୍ଡର ପକାଇ ଥିବାବେଳେ ମେଘା ଇଞ୍ଜିନିୟରିଂ ସଂସ୍ଥାକୁ ଟେଣ୍ଡର ମିଳିଛି । ଆସନ୍ତା ୩୦ ମାସ ବା ଅଢେଇ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସୋହେଲା ବ୍ଲକର ୨୩ ଗୋଟି ଗ୍ରାମର ୮ହଜାର ହେକ୍ଟର, ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୯ ହଜାର ହେକ୍ଟର, ବରପାଲିର ୧୯ଟି ଗ୍ରାମର ୪୮୦୦ହେକ୍ଟର ଓ ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକର ୫ଟି ଗ୍ରାମର ୨୦୦ ହେକ୍ଟର ଜମି ଜଳସେଚିତ ହେବାର ଯୋଜନା ରହିଛି ।
ଏ ବିଷୟରେ ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ