ବରଗଡ: ବରଗଡ-ଭଟଲି ରାସ୍ତାର ବରଡୋଲ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଦୁର୍ଘଟଣାରେ ଅନେକ ମୁଣ୍ଡ ଗଡିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ରାସ୍ତା ଉପରେ ହମ୍ପସ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଛି । ଏପରିକି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମଧ୍ୟ ମିଳିଛି । ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଥିପାଇଁ ଆଜି (ସୋମବାର) ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ବାରମ୍ବାର ଦୁର୍ଘଟଣା ସତ୍ତ୍ବେ ପ୍ରଶାସନ ଆଖି ବନ୍ଦ କରି ବସିଛି । ଏପଟେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ସୋମବାର ସକାଳ 7 ଟାରୁ ବରଗଡ ଭଟଲି ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ । ରାସ୍ତାରେ ଯେ ପର୍ଯ୍ୟନ୍ତ ହମ୍ପସ ନିର୍ମାଣ କରା ନ ଯାଇଛି ସେପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ଆନ୍ଦୋଳନକାରୀ ଅଡି ବସିଥିଲେ । ତହସିଲଦାର ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ହମ୍ପସ ନିର୍ମାଣ ପାଇଁ ପୁଣି ପ୍ରତିଶ୍ରୁତି ଦେଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କଲାପରେ ରାସ୍ତାରୋକ ହଟିଥିଲା । ପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା ।
ବରଗଡରୁ ଭଟଲିକୁ ସଂଯୋଗ କରୁଥିବା ରାସ୍ତାର ବରଡୋଲ ଛକରେ ରହିଛି କେନାଲ ପୋଲ । ଏହା ଉପର ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଯାତାୟତ କରିଥାନ୍ତି । ହେଲେ ପୋଲର ଉଭୟ ପାର୍ଶ୍ଵରେ କୌଣସି ସୁରକ୍ଷା ବାଡ଼ ନ ଥିବା କାରଣରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏଠାରେ ବହୁ ଲୋକ ପ୍ରାଣ ହରାଇବା ସହ ଗୁରୁତର ଆହତ ହୋଇଥିବାର ନଜିର ରହିଛି ।
ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ