ବରଗଡ: ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ନାମରେ ବିଭିନ୍ନ ସ୍ଥାନରେ ଅର୍ଥ ଅସୁଲି କରୁଥିବା ଅଭିଯୋଗରେ ବରଗଡ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି | ଦେବଗଡ଼ ଜିଲ୍ଲା ପ୍ରଭାଶୁଣୀ ଗ୍ରାମର ୨୪ ବର୍ଷୀୟ ସୁଶାନ୍ତ କୁମାର ରଣଜିତଙ୍କୁ କୋରାପୁଟ ଜିଲ୍ଲାର ଜଯପୁର ଠାରୁ ଗିରଫ କରିଛି ବରଗଡ ପୋଲିସ |
ସୂଚନାନୁଯାୟୀ, ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ଫୋନରେ ବ୍ଲାକମେଲିଂ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଟଙ୍କା ଅସୁଲି କରୁଥିଲା ଅଭିଯୁକ୍ତ | ଦୀର୍ଘ 1 ବର୍ଷ ହେଲା ଅଭିଯୁକ୍ତ ଜଣକ କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀଙ୍କୁ ବ୍ଲାକମେଲିଂ କରୁଥିଲା ଏବଂ ନିଜକୁ ମନ୍ତ୍ରୀ ସୁଶାନ୍ତ ସିଂହ ବୋଲି ପରିଚୟ ଦେଉଥିଲା |
ଅଭିଯୁକ୍ତର ନାମ ମଧ୍ୟ ସୁଶାନ୍ତ ହୋଇଥିବାରୁ ମୋବାଇଲ କଳର ଆଇଡିରେ ସୁଶାନ୍ତ ବୋଲି ବାହାରୁଥିଲା । ତେଣୁକରି ଲୋକଙ୍କ ମଧ୍ୟରେ ସନ୍ଦେହ ମଧ୍ୟ ହୋଇନଥିଲା | ଏହି ଅଭିଯୁକ୍ତ ଏପରି ବ୍ଲାକମେଲିଂ କରି ୩ ରୁ ୪ ଲକ୍ଷ ଟଙ୍କା ଆଦାୟ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ବେଳେ ଅଭିଯୁକ୍ତ ଠାରୁ ବ୍ୟାଙ୍କ ପାସ୍ବୁକ, ଚେକବୁକ୍, ଆଧାର କାର୍ଡ ଓ ୩ ଗୋଟି ମୋବାଇଲ ଆଦି ପୋଲିସ ଜବତ କରିଛି |
ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ସୋହେଲା ବ୍ଲକ ପ୍ରତିନିଧି ଗଣତନ୍ତ୍ର ପ୍ରଧାନଙ୍କ ଏତଲା କ୍ରମେ ସୋହେଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ