ବରଗଡ: ଝିଅ ପାଠ ପଢିବ ଏବଂ ଦିନେ ବଡ଼ ଚାକିରୀ କରି ନିଜ ଗୋଡ଼ରେ ଛିଡ଼ା ହେବ ସେହି ଆଶାରେ ପରିବାରଲୋକେ ଝିଅକୁ ଗାଁରୁ ସହରକୁ ପାଠ ପଢ଼ାଇବାକୁ ଛାଡ଼ିଥିଲେ । ମାତ୍ର ପାଠ ପଢିବାକୁ ଆସି ନାବାଳିକା ଝିଅର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆଜି ବରଗଡ଼ ସହରରେ ଦେଖିବାକି ମିଳିଛି । ସୋମବାର ଦିନ ୧୧ଟା ସମୟରେ ବରଗଡ଼ ରେଳଷ୍ଟେସନ ସମ୍ମୁଖରେ ଥିବା ବିଜୟ ହୋଟେଲରୁ ବଲାଙ୍ଗୀର ପଢ଼ିଆପାଲି ଅଞ୍ଚଳର ଜଣେ ଯୁବକ ରାହୁଲ ବାଗ ଜଣେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଏକ ଟେମ୍ପୁ ସାହାଯ୍ୟରେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ନାବାଳିକାକୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଜଣେ ନାବାଳିକା ଝିଅ ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ସୋମବାର ସକାଳ ୬ଟା ୩୦ ମିନିଟରେ ସମୟରେ ଏକ ସରକାରୀ ବସରେ ନିଜ ଗାଁରୁ ବରଗଡ଼ ଅଭିମୁଖେ ଆସିଥିଲେ । ସକାଳ ୯ଟା ୩୦ମିନିଟରେ ନିଜ ବାପାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଯେ, ସେ ଠିକ୍ ଭାବରେ ବରଗଡ଼ ପହଞ୍ଚି ଯାଇଛନ୍ତି । ହେଲେ ତାର ଠିକ୍ ୧ ଘଣ୍ଟା ପରେ ପରିବାର ଲୋକଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଜଣେ ଯୁବକ କଲ କରି ସୂଚନା ଦେଇଥିଲେ ଯେ ତାଙ୍କ ଝିଅର ମୃତ୍ୟୁ ହୋଇଛି ।
ମୃତଦେହ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଷୟରେ କହି ଫୋନଟି କାଟି ଦେଇଥିଲା । ଏହାପରେ ପରିବାର ଲୋକେ ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସକାଳୁ ଝିଅ ଏକଦମ୍ ଠିକ୍ ଥିବାବେଳେ ହଠାତ୍ ତା'ର ମୃତ୍ୟୁ ହେବା ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ପରିବାର ଲୋକେ ତାଙ୍କର ଝିଅର ହତ୍ୟା କରାଯାଇଥିବା ବିଷୟରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ କହିବା ଅନୁସାରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ସକାଳୁ ଝିଅଟି ବସରୁ ଓହଲ୍ଲାଇବା ପରେ ଉଭୟ ହୋଟେଲକୁ ଯାଇଥିଲେ । ହୋଟେଲରେ କୌଣସି କାରଣରୁ ଝିଅଟି ଅଚେତ୍ ହୋଇଯାଇଥିଲା ।
ଟେମ୍ପୁ ସାହାଯ୍ୟରେ ଚିକିତ୍ସାଳୟକୁ ଆଣିଥିଲା ଅଭିଯୁକ୍ତ । ହେଲେ ସେଠାରେ ନାବାଳିକାକୁ ମୃତ ଘୋଷଣା କରିଥିଲେ । ଏପଟେ ଉଭୟ ପକ୍ଷକୁ ଶୁଣିବା ପରେ ଝିଅର ବାପା କରିଥିବା ଅଭିଯୋଗକୁ ଆଧାର କରି ବରଗଡ଼ ଟାଉନ ଥାନା ହୋଟେଲ ମାଲିକ ଓ ଫୋନ ମାଧ୍ୟମରେ ସୂଚନା ଦେଇଥିବା ଯୁବକଙ୍କୁ ବରଗଡ଼ ଟାଉନ ଥାନାରେ ଅଟକ ରଖି ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି । ଅନ୍ୟପଟେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ