ବରଗଡ: ବ୍ରିଜ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଦୀର୍ଘ 4 ବର୍ଷ ପରେ ମଧ୍ୟ ବରଗଡ଼ ଜିରା ନଦୀ ଉପରେ ଚାଲିଥିବା ବ୍ରିଜ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନଥିବା ପ୍ରତିବାଦରେ ଶୁକ୍ରବାର ସ୍ଥାନୀୟ ଅମ୍ବାପାଲି ବାସିନ୍ଦା ରାସ୍ତାରୋକ କରିଥିଲେ । ପ୍ରତିବାଦ କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ 4 ଘଣ୍ଟାର ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା । ଏହାପରେ ପ୍ରତିବାଦକାରୀମାନେ ଆନ୍ଦୋଳନରୁ ଓହରି ଥିଲେ ।
ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲ ନିର୍ମାଣ କାର୍ଯ୍ୟରେ ବିଳମ୍ବତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୋଲ ନିର୍ମାଣ କାର୍ଯ୍ୟ ତୀବ୍ର ତଥା ତ୍ୱରାନ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାବି କରିଥିଲେ । ତେବେ ଏହାର ପ୍ରତିବାଦ ସ୍ବରୁପ ଶୁକ୍ରବାର ସକାଳ୮ଟାରୁ ଅମ୍ବାପାଲିବାସୀ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ କାରଣରୁ ବରଗଡ଼ରୁ ବଲାଙ୍ଗୀର ରାସ୍ତାରେ ଯାନବାହାନ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡିଥିଲା । ଫଳରେ ବରଗଡ-ବଲାଙ୍ଗୀର ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଥିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା । ଦୀର୍ଘ 4 ଘଣ୍ଟାର ଆନ୍ଦୋଳନ ପରେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା । ଏହାପରେ ପ୍ରତିବାଦକାରୀମାନେ ଆନ୍ଦୋଳନରୁ ଓହରି ଥିଲେ ।ବରଗଡ଼ରୁ ବଲାଙ୍ଗୀର ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ଇଟିଭି ଭାରତ, ବରଗଡ