ବରଗଡ: ଲକଡାଉନ ସମୟରେ ବରଗଡ ଏସିସି ସିମେଣ୍ଟ କାରଖାନାରେ କାମ କରୁଥିବା ଠିକା ଶ୍ରମିକଙ୍କ ମଜୁରୀ କାଟ ହେଉଛି । ଶ୍ରମିକଙ୍କୁ ପାରିଶ୍ରମିକ ଦିଆଯାଉନଥିବା ଅଭିଯୋଗ ନେଇ ବରଗଡ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଠିକା ଶ୍ରମିକ ସଂଗଠନ । ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଠିକା ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ନିବେଦନ କରିଛି ସଂଘ ।
ଲକଡାଉନ ସମୟରେ ସାହାଯ୍ୟ ଯୋଗେଇବା ପରିବର୍ତ୍ତେ କାରଖାନା କର୍ତ୍ତୃପକ୍ଷ ଓଲଟା ଶ୍ରମିକଙ୍କର ମଜୁରୀ କାଟ କରିବା ଘଟଣାକୁ ନିନ୍ଦା କରାଯାଇଛି । ଲକ୍ ଡାଉନ ପରେ ଶ୍ରମିକଙ୍କ ପରିବାର ଅସହାୟ ହୋଇପଡିଥିବା ବେଳେ ଖାଇବା ଖର୍ଚ୍ଚ ଉଠାଇବାପାଇଁ ମଧ୍ୟ ଅସମର୍ଥ ହୋଇପଡିଛନ୍ତି । ଅନ୍ୟପଟେ ସିମେଣ୍ଟ କାରଖାନାରୁ ନିଜ ପ୍ରାପ୍ୟ ପାଉଣା ପାଇ ପାରୁ ନଥିବା ଯୋଗୁ ଶ୍ରମିକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇ ପଡ଼ିଛି । ତେବେ କାରଖାନାର ଅମାନବିକତା ବିରୋଧରେ ବରଗଡ଼ ସିମେଣ୍ଟ ଠିକା ଶ୍ରମିକ ସଂଘର ସଭାପତି ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟିଥିଲେ। ଶ୍ରମିକ ମାନଙ୍କୁ ଏଭଳି ବିପର୍ଯ୍ୟୟ ସମୟରେ ୪ହଜାର ଟଙ୍କା ଲେଖାଏଁ ଅଗ୍ରୀମ ପାରିଶ୍ରମିକ ପ୍ରଦାନ ପାଇଁ ନିବେଦନ କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ