ବରଗଡ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ଭୁଲ ପଦକ୍ଷେପ ଯୋଗୁଁ ବଳି ପଡୁଛନ୍ତି ବହୁ ଯୁବକ । ଡିଗ୍ରୀ ହାସଲ କରିସାରିବା ପରେ ମିଳୁନି ନିଯୁକ୍ତି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ଆଶାୟୀ ।
ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବହୁ ଆଶାୟୀ ପ୍ରାର୍ଥୀ OTET ପରୀକ୍ଷା ଦେଇଛନ୍ତି । କିନ୍ତୁ ସରକାର ଅବସରପ୍ରାପ୍ତ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପାର୍ଟ ଟାଇମ ଭାବରେ ପୁନଃ ନିଯୁକ୍ତି ଦେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ।
ବିଗତ ବିଧାନସଭା ଅଧିବେଶନରେ ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ବିବୃତି ଅନୁଯାୟୀ ରାଜ୍ୟରେ 1,08,000 ରୁ ଅଧିକ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶିକ୍ଷକ ପଦବୀ ଖାଲି ରହିଛି । ଲକ୍ଷାଧିକ ଆଶାୟୀ ନିଯୁକ୍ତି ଅପେକ୍ଷାରେ ରହିଥିବା ବେଳେ ବରଗଡ ଜିଲ୍ଲାରେ କେବଳ 18 ହଜାର ରୁ ଅଧିକ ଆବେଦନକାରୀ ଚାକିରି ଅପେକ୍ଷାରେ । 2016 ମସିହାରୁ ଆବେଦନକାରୀ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିବାବେଳେ ଆଜି ପର୍ଯ୍ୟନ୍ତ ଖୋଲୁନି ଶିକ୍ଷା ବିଭାଗର ଘୋଷଣା ପତ୍ର । ଫଳରେ ତିନି ବର୍ଷ ହେବ ଚାହିଁ ରହିଛନ୍ତି ଆଶାୟୀ ।
ଶିକ୍ଷା ସାମାଜିକ ବିକାଶର ମେରୁଦଣ୍ଡ ଏବଂ ପ୍ରାଥମିକ ଶିକ୍ଷା ହେଉଛି ଏହାର ଭିତ୍ତିଭୂମି । ତେବେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ଏକ ମୌଳିକ ତଥା ଗୁରୁତ୍ଵପୂର୍ଣ ଅଙ୍ଗ ହୋଇଥିବା ବେଲେ କିନ୍ତୁ ରାଜ୍ୟ ସରକାର କେବଳ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ପ୍ରବେଶିକା ପରୀକ୍ଷା କରୁଛନ୍ତି । ସରକାର ନିଯୁକ୍ତି ଉପରେ ଧ୍ୟାନ ଦେଉନଥିବା ଅଭିଯୋଗ ନେଇ ପୂର୍ବରୁ ବହୁ ଆଶାୟୀ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ବରଗଡ ଜିଲ୍ଲାରେ DELED , BED, ତଥା OTET ଯୋଗ୍ୟତାଧାରୀ ଅଣନିଯୁକ୍ତ ଶିକ୍ଷକ ଭରି ରହିଥିବା ବେଳେ ଜିଲ୍ଲାରେ ଖାଲି ପଡ଼ିଛି ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ । ତେବେ ଖାଲି ପଡିରହିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଶୀଘ୍ର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ କରିବା ସହ ବିଜ୍ଞାପନ ପ୍ରକାଶ କରିବାକୁ ଅନେକ ଆଶାୟୀ ଦାବି ଉପସ୍ଥାପନା କରିଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ