ବରଗଡ: ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ ଅଭିଯୋଗ । ବଲାଙ୍ଗୀରରୁ ବରଗଡ ପଟୁ ବାଇକରେ ଆସୁଥିବା ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି | ଆହତ ବ୍ୟବସାୟୀଙ୍କୁ ବରଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁବାର ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି |
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ନାମକ ଜଣେ ଯୁବକ ବୁଧବାର ବିଳମ୍ବିତ ରାତିରେ ବଲାଙ୍ଗୀରରୁ ବରଗଡ ପଟୁ ଫେରୁଥିଲେ । ଏହି ସମୟରେ ପୂର୍ବରୁ ତାଙ୍କୁ ପିଛା କରୁଥିବା କିଛି ଦୁର୍ବୃତ୍ତ ନିଛାଟିଆ ରାସ୍ତାର ସୁଯୋଗ ପାଇ ସଚିନଙ୍କୁ ଗୁଳିମାଡ କରିଥିଲେ । ସଚିନଙ୍କ ବାମ ହାତ ପାପୁଲି ଏବଂ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ବରଗଡ ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି |
ତେବେ ସଚିନ ଅଗ୍ରୱାଲ ସୋନପୁର ଜିଲ୍ଲା ଡ଼ୁଙ୍ଗୁରିପାଳିର ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କୁ କେଉଁ କାରଣରୁ ମରଣାନ୍ତକ ଆକ୍ରମଣ କରାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ | କୌଣସି ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଛି ନା ଆଉକିଛି ରହସ୍ୟ ରହିଛି ସେନେଇ ବରଗଡ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ