ବରଗଡ: ଦୁଇଦିନ ହେଲା ଆମରଣ ଅନଶନରେ 7ଜଣ ଚାଷୀ । ଚାଷୀଙ୍କ ଧାନ ବିକ୍ରି ନହେବାଯାଏଁ, ଏପରିକି ନିଜ ପ୍ରାଣ ଚାଲିଗଲେ ମଧ୍ୟ ଅନଶନରୁ ହଟିବେ ନାହିଁ ବୋଲି ଜିଦରେ ଡଭା ଅଞ୍ଚଳର ଚାଷୀ | ସେପଟେ ଓଡିଶା ଛତିଶଗଡ଼ ରାସ୍ତା, ଝାରବନ୍ଧ-ଡଭା ଏବଂ ଝାରବନ୍ଧ-ନୂଆପଡା ରାସ୍ତା ଦୁଇଦିନ ହେଲା ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ରାସ୍ତାରେ ହଜାର ହଜାର ଦାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ଧାନ ବିକ୍ରିରେ ରାଜ୍ୟ ସରକାରଙ୍କ ଟୋକାନ ଅବ୍ୟବସ୍ଥା ଯୋଗୁଁ ଚଳିତ ବର୍ଷ ଚାଷୀର ମନୋବଳ ଭାଙ୍ଗିବା ସହିତ ଆର୍ଥିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଯାଇଛି । ବରଗଡ ଜିଲ୍ଲାରେ ରବି ଫସଲ ଆରମ୍ଭ ହୋଇଯାଇଥିବା ବେଳେ ଗତ ଖରିଫ ଫସଲର ଧାନ ବିକ୍ରି କରିପାରି ନାହାନ୍ତି ଚାଷୀ । ଏବେ ମଧ୍ୟ ଶହ ଶହ ଚାଷୀ ଆନ୍ଦୋଳନ କରୁଛନ୍ତି ତାଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବାପାଇଁ । ହେଲେ ନା ଶୁଣୁଛି ପ୍ରଶାସନ ନା ସ୍ଥାନୀୟ ନେତା ଓ ମନ୍ତ୍ରୀ । ଫଳରେ ହଜାର ହଜାର ବସ୍ତା ଧାନ ରାସ୍ତାରେ ରଖି ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛି ଚାଷୀ ।
ତେବେ ଡଭା ମାର୍କେଟ ଯାର୍ଡ଼ର ୧୯୧ ଜଣ ଚାଷୀଙ୍କ ୫୦୦୦ ବସ୍ତା ଧାନ ବିକ୍ରି ନହେବାରୁ ଶେଷରେ ଚାଷୀ ସଂଗଠନ ପକ୍ଷରୁ ସମସ୍ତ ଧାନ ଗୁଡିକୁ ରାସ୍ତା ଉପରେ ପକାଯାଇ ଆନ୍ଦୋଳନ କରିଛନ୍ତି । ଏହି ଆନ୍ଦୋଳନରେ ଶତାଧିକ ଚାଷୀ ଭାଗ ନେଇଛନ୍ତି । ଯେ ପର୍ଯ୍ୟନ୍ତ ଧାନ ବିକ୍ରି କରାନଯାଉଛି ସେ ପର୍ଯ୍ୟନ୍ତ ଚାଷୀଙ୍କ ଆମରଣ ଅନଶନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ