ବରଗଡ: ରାଜ୍ୟ ପଞ୍ଚାୟତିରାଜ ତଥା ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବରଗଡ ଗସ୍ତରେ ଅଛନ୍ତି । ବରଗାଁରେ ନିର୍ମିତ ହୋଇଥିବା ବୃହତ ପାନୀୟ ପ୍ରକଳ୍ପ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ଏହାର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରିଛନ୍ତି | ପରେ ବରଗଡ ପଞ୍ଚାୟତ ସମିତି ପରିସରରେ 40 ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ସଭାଗୃହର ଶିଳାନ୍ୟାସ କରିବା ସହିତ ମଧୁବାବୁ ପେନ୍ସନ, ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ଓ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ |
ବ୍ଲକ ଅଧ୍ୟକ୍ଷା ମଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲୋକଙ୍କୁ ଦୁର୍ନୀତି ବିରୋଧରେ ସଚେତନ କରାଇଥିଲେ ପ୍ରତାପ । ସମସ୍ତ ଯୋଜନାରେ ସ୍ଵଛତା ଆଣିବା ପାଇଁ କୌଣସି ଅଭିଯୋଗ ଆସିଲେ ସିଧା ସଳଖ ମୋବାଇଲ ଜରିଆରେ ତାଙ୍କ ନିକଟରେ ଅଭିଯୋଗ ଦାଖଲ କରିବା ପାଇଁ ପ୍ରତାପ ଲୋକଙ୍କୁ କହିଛନ୍ତି |
କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତୀବାସ ରାଉତ, ଡିଡିଓ ଶରତ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଓ ସହରାଞ୍ଚଳ ପାନୀୟ ଜଳ ଯୋଗାଣ କାର୍ଯ୍ୟର ସମୀକ୍ଷା କରିଥିଲେ ମନ୍ତ୍ରୀ | ବରଗଡରେ ଲାଗୁ ହୋଇଥିବା 5 T ଉପରେ ସମସ୍ତ ଅଧିକାରୀଙ୍କୁ ସଜାଗ କରିଥିଲେ | ତେବେ ମନ୍ତ୍ରୀ ପ୍ରତାପ ଜେନା ବରଗଡରେ ରହିଥିବା ସମସ୍ତ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରାଯିବା ପାଇଁ ସରକାର ପକ୍ଷରୁ ସର୍ଭେ ଚାଲିଥିବା କହିଥିଲେ |
ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ