ବରଗଡ: ରବିବାର ହୋଇଥିବା NMMS ପରୀକ୍ଷାରେ କେବଳ ଓଡିଆ ଭାଷାରେ ପ୍ରଶ୍ନପତ୍ର ଆସିଥିବାରୁ ଇଂରାଜୀ ମିଡିୟମର ଛାତ୍ରଛାତ୍ରୀ ସମସ୍ୟାରେ ପଡିଛନ୍ତି । ସ୍କୁଲର ଅନେକ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ବୁଝି ନପାରିଥିବା ଅଭିଯୋଗ ଆଣିଛନ୍ତି । ପିଲାଙ୍କ ଭବିଷ୍ୟତ ଏବଂ ପିଲାଙ୍କ ମାନସିକ ସ୍ଥିତି ସହିତ ଏପରି ଖେଳ ଖେଳିବାକୁ ବିରୋଧ କରିଛନ୍ତି ଅଭିଭାବକ ।
ଇଂରାଜୀ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ଓଡ଼ିଆରେ ରହିଥିବା ପ୍ରଶ୍ନପତ୍ରକୁ ଆଦୌ ବୁଝିପାରିନଥିଲେ । ପରୀକ୍ଷାରେ ଉତ୍ତର ଲେଖି ପାରିନଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ଛାତ୍ରଛାତ୍ରୀ ଅନୁବାଦ କରି ଜଣାଇବାକୁ କହିବାରୁ ପରୀକ୍ଷା ହଲରେ ଏପରି କୌଣସି ସୁବିଧା ପ୍ରଦାନ କରାଯାଇନଥିଲା । ଯାହା ଫଳରେ ପରୀକ୍ଷାରେ କିଛି ନଲେଖି ଅନେକ ଛାତ୍ରଛାତ୍ରୀ ପରୀକ୍ଷା ହଲରୁ ଫେରି ଆସିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ ରବିବାର ବରଗଡର ବିଭିନ୍ନ ସ୍କୁଲମାନଙ୍କରେ NMMS ପରୀକ୍ଷା ରହିଥିଲା । ଯେଉଁଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଆସିଥିଲେ । ତେବେ ଏହି ପରୀକ୍ଷାର ପ୍ରଶ୍ନପତ୍ରଟି ପ୍ରତିବର୍ଷ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରହିଥାଏ ମାତ୍ର ଚଳିତ ବର୍ଷ କେବଳ ଓଡିଆରେ ପ୍ରଶ୍ନପତ୍ର ରହିଥିବାରୁ ବରଗଡ ସିମେଣ୍ଟ ନଗର ହାଇସ୍କୁଲକୁ NMMS ପରୀକ୍ଷା ଦେବାକୁ ଆସିଥିବା ଇଂରାଜୀ ମିଡିୟମ ସ୍କୁଲର ଅନେକ ଛାତ୍ରଛାତ୍ରୀ ସମସ୍ୟାରେ ପଡିଥିଲେ । ଓଡିଆରେ ରହିଥିବା ପ୍ରଶ୍ନ ବୁଝି ପାରିନଥିଲେ ଏବଂ ଆଦୌ ପ୍ରଶ୍ନ ପତ୍ରର ଉତ୍ତର ଲେଖିପାରିନଥିଲେ ।
ଏହା ବି ପଢନ୍ତୁ...ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରକୁ ନେଇ ତାତିଲା ହିନ୍ଦୁ ଜାଗରଣ ମଞ୍ଚ
ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଏପରି ଅନ୍ୟାୟକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଓଡିଶା ଅଭିଭାବକ ମହାସଂଘର ବରଗଡ ଶାଖା ପକ୍ଷରୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏପରି ଖାମଖିଆଳି କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହିତ ପୁନର୍ବାର ଏହି ପରୀକ୍ଷା କରାଯିବାକୁ ଦାବି ହୋଇଛି ।
ପୂର୍ବରୁ ଉଭୟ ଇଂରାଜୀ ଏବଂ ଓଡିଆ ଭାଷାରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବିନା ସୂଚନାରେ କିପରି ଏପରି ନିଷ୍ପତ୍ତି ନିଆଗଲା ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଂଘ । ପୂର୍ବରୁ ସୂଚନା ଦିଆଯାଇଥିଲେ ପିଲାମାନେ ନିଜ ନିଜ ଭାଷାରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତେ ଏବଂ ଆଜି ଯେଉଁ ପରିସ୍ଥିତି ଉପୁଜିଛି ତାହା ହୋଇନଥାନ୍ତା । NMMS ପରୀକ୍ଷାରେ ଶିକ୍ଷା ବିଭାଗ ତଥା ରାଜ୍ୟ ସରକାରଙ୍କ ଯେଉଁ ଭୁଲ ହୋଇଛି ତାହାର ପରିଣାମ ସ୍ୱରୂପ ପିଲାଙ୍କ ଭବିଷ୍ୟତରେ ପ୍ରଭାବ ନପକାଉ ଏବଂ ପୁନର୍ବାର ଏହି ପରୀକ୍ଷା ଶୀଘ୍ର ଇଂରାଜୀରେ କରାଯାଉ ବୋଲି ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।
ଇଟିଭି ଭାରତ, ବରଗଡ