ବରଗଡ: ଓଡିଶାରେ ଭୟର ବାତାବରଣ ସୃଷ୍ଟି କରିଛି ସାମୁଦ୍ରିକ ଝଡ 'ଫନି' । ଏହି ଝଡ ଆସନ୍ତା 3 ତାରିଖରେ ଓଡିଶାର ଉପକୂଳକୁ ଛୁଇଁବା ମାତ୍ରେ ତାଣ୍ଡବ ରଚିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ରାଜ୍ୟରେ ବାତ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।
'ଫନି' ଝଡର ପ୍ରଭାବରେ ପ୍ରଚୁର ପରିମାଣରେ ଲାଗିରହିବ ବର୍ଷା । ବହୁ ନଦୀକୂଳିଆ ଅଞ୍ଚଳରେ ବାତ୍ୟା ପରିସ୍ଥିତି ହେବାର ସମ୍ଭାବନା ଯୋଗୁଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବାତ୍ୟାକୁ ନେଇ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଗତ୍ୟ ସମ୍ଭାବ୍ୟ ବାତ୍ୟା ଫନିର ସଫଳ ମୁକାବିଲା ନିମନ୍ତେ ସଜାଗ ରହିବା ସହିତ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗ ନିଜ ନିଜର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧୀୟ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟଶସ୍ୟ ଏବଂ ପଲିଥିନ ମହଜୁଦ ରଖିବା ସହିତ ନିଜ ନିଜ ଜରୁରୀ କାଳୀନ ପରିଚାଳନା କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବା ସହିତ ଜିଲ୍ଲା କାର୍ଯ୍ୟାଳୟକୁ ସମସ୍ତ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ମୋବାଇଲ ଫୋନରେ ଯୋଗାଯୋଗ ସକାଶେ ପାୱାର ବ୍ୟାଙ୍କ ବ୍ୟବହାର କରି ସବୁବେଳେ ସମ୍ପର୍କରେ ରହିବାକୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଉପଜିଲ୍ଲାପାଳ, ବରଗଡ ଉପଜିଲ୍ଲାପାଳ, ଜିଲ୍ଲା ପ୍ରଳକଳ୍ପ ନିର୍ଦ୍ଦେଶକ, ଅଗ୍ନିଶମ ବିଭାଗ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଏହି ବାତ୍ୟାର ମାତ୍ରାଧିକ ପ୍ରଭାବ ପୂର୍ବ ଉପକୂଳ ଅଞ୍ଚଳରେ ପଡିବ ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ବରଗଡ ଜିଲ୍ଲାର ଅଗ୍ନିଶମ ବିଭାଗରୁ ବହୁ କର୍ମଚାରୀମାନେ ପୂର୍ବ ଉପକୂଳ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ବରଗଡ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଅମ୍ବଭୋନା ଓ ଭେଡେନ ବ୍ଲକର ବନ୍ୟା ପରିସ୍ଥିତିର ଭୟ ରହିଥିବା ଅଞ୍ଚଳ ଗୁଡିକରେ ଅଧିକ ଫୋକସ ରଖିଥିବା କୁହାଯାଉଛି ।
ବରଗଡ଼ରୁ ରାଜେଶ କୁମାପ ସରାପ, ଇଟିଭି ଭାରତ