ବରଗଡ: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ସାଇବର କ୍ରାଇମର ରାଜ । ଏମିତିରେ ସାଇବର ଅପରାଧୀମାନେ ଜିଲ୍ଲା ପ୍ରଶାସନକୁ ମଧ୍ୟ ବାଦ ଦେଇନାହାନ୍ତି । ସାଇବର ଅପରାଧୀମାନେ ବରଗଡ ଏସପି ଏବଂ ଜିଲ୍ଲାପାଳଙ୍କ ଫେକ ଆଇଡି ତିଆରି କରି ବରଗଡ ଜିଲ୍ଲା ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । କିଛି ଦିନ ତଳେ ବରଗଡ ପୋଲିସ ଏସପି ପଦ୍ମିନୀ ସାହୁଙ୍କ ନାମରେ ଫେସବୁକରେ ଏକ ଫେକ ଆଇଡି ଘୂରି ବୁଲୁଥିବା ବେଳେ ବହୁ ଲୋକଙ୍କୁ ଏହି ଆଇଡିରୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଯାଇଥିଲା ।
ଏନେଇ ସାମ୍ବାଦିକମାନେ ଏସପିଙ୍କୁ ପଚାରିବା ପରେ ଏସପି ପଦ୍ମିନୀ ସାହୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ଏକ ଫେକ ଆଇଡି ବୁଲୁଛି । ତେବେ ଏହି ଘଟଣାର କିଛି ଦିନ ପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନାମରେ ମଧ୍ୟ ସେହିପରି ଅନ୍ୟ ଏକ ଫେକ ଆଇଡି ଘୁରି ବୁଲୁଥିବା ଜଣାପଡିଛି । ଜିଲ୍ଲାପାଳ ମଧ୍ୟ ନିଜେ ଏହି ବିଷୟରେ ଅବଗତ ନଥିବା ବେଳେ କିଏ ଓ କାହିଁକି ଏପରି ଦୁଃସାହସ କରୁଛି ସେନେଇ ନାନା ପ୍ରଶ୍ନ ଉଠିଛି ।
ତେବେ ବରଗଡ ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡିଛି । ସାଇବର କ୍ରାଇମ ବିଭାଗ ମଧ୍ୟ ଏନେଇ ତନାଘନା ଆରମ୍ଭ କରିଦେଇଛି । ଏମିତିରେ କେଉଁ ଉଦ୍ଦେଶ୍ୟ ନେଇ ଅପରାଧୀମାନେ ପୋଲିସ ଏସପି ଏବଂ ଜିଲ୍ଲାପାଳଙ୍କ ଫେକ ଆଇଡି ବ୍ୟବହାର କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ