ବରଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ଼ ହସ୍ପିଟାଲକୁ ନୂତନ କୋଭିଡ଼ ଆମ୍ବୁଲେନ୍ସ ପ୍ରଦାନ କରାଯାଇଛି । ଆଜି(ଶନିବାର) ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଆମ୍ବୁଲାନ୍ସର ଶୁଭ ଉଦଘାଟନ କରିଛନ୍ତି । ବରଗଡ ଏସପି ପଦ୍ମିନୀ ସାହୁ ଏବଂ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବରଗଡ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢି ସ୍ଥିତି ଗମ୍ଭୀର ହେବାକୁ ବସିଲାଣି । ଏହାକୁ ଦୃଷ୍ଟିରେ ରଖି ପୁଣି ସ୍ଥାନୀୟ ଖେଦାପାଳି ଠାରେ କୋଭିଡ଼ ହସ୍ପିଟାଲ ଆରମ୍ଭ କରାଯାଇଛି । 100 ବେଡ଼ ବିଶିଷ୍ଟ ଏହି କୋଭିଡ଼ ହସ୍ପିଟାଲରେ 7ଟି ICU ବେଡ଼ ଗୁରୁତର ରୋଗୀଙ୍କ ପାଇଁ ରହିଛି ।
ତେବେ କୋଭିଡ ରୋଗୀଙ୍କ ପାଇଁ କୋଭିଡ଼ ଆମ୍ବୁଲେନ୍ସ ସେବା ନଥିବା ବେଳେ ଆଜି କୋଭିଡ଼ ହସ୍ପିଟାଲକୁ ଏକ ଆମ୍ବୁଲେନ୍ସ ପ୍ରଦାନ କରାଯାଇଛି । ଏହି ଆମ୍ବୁଲାନ୍ସରେ ରୋଗୀଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ରହିଛି । ଏଥିରେ ଜଣେ ଫାର୍ମାସିଷ୍ଟ, ଜଣେ ଟେକନିସିଆନ ଓ ଜଣେ ଆଟେଣ୍ଡେଣ୍ଟ ସବୁବେଳେ ଉପଲବ୍ଧ ରହିବେ ଏବଂ ମାଗଣାରେ ସେବା ଯୋଗେଇବେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ