ବରଗଡ଼: ସିଟି ହସ୍ପିଟାଲ ଦାବିରେ ରାସ୍ତା ଅବରୋଧ । ବରଗଡ଼ ସହରରେ ରହିଥିବା ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବନ୍ଦ କରାନଯାଇ ଏହାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଶନିବାର କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅନଶନ କରାଯାଇଥିବା ବେଳେ ବରଗଡ ସହରର ବହୁ ମହିଳା ଓ ପୁରୁଷ ସହରର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ |
ସ୍ଥାନୀୟ ବିଶି ପଡ଼ା ଓ ନାୟକ ପଡ଼ାରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ମୁଖ୍ୟ ରାସ୍ତାର ଗାନ୍ଧୀଛକ, ଭଟଲି ଛକ ଓ ବାନ୍ଦୁଟିକିରା ଛକ ଠାରେ ରାସ୍ତା ଉପରେ ଲୋକେ ଟାୟାର ଜାଳି ତୀବ୍ର ଆନ୍ଦୋଳନ କରିଥିଲେ |
ତେବେ ଶନିବାର ସହରରେ ଥିବା ମୁଖ୍ୟ ଡାକ୍ତରଖାନା ୧୦ କିଲୋମିଟର ଦୂର ଖେଦାପାଳିକୁ ସ୍ଥାନାନ୍ତରିତ ହେବା ପରେ ସ୍ଥାନୀୟ ବାସିନ୍ଦା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ସେବା ପାଇପାରିନଥିଲେ । ଫଳରେ ଚିକିତ୍ସା ଅଭାବରୁ ଶନିବାର ଏକ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହି ଘଟଣାପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଆନ୍ଦୋଳନକୁ ଓହଲ୍ଲାଇଥିଲେ |
ଜନସାଧାରଣଙ୍କ ଦାବି ଏହା ଯେ ସହର ମଧ୍ୟରେ ପୂର୍ବ ପରି ଚିକିତ୍ସା ବ୍ୟବସ୍ଥା ରହୁ ଏବଂ 24 ଘଣ୍ଟା ଡାକ୍ତର ଉପଲବ୍ଧ କରାଯାଉ । ନଚେତ ଏହି ରାସ୍ତାରୋକ ଆନ୍ଦୋଳନ ଜାରି ରହିବ | ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ସହରର ଚାରିଆଡେ ନିଆ ଜାଳି ଲୋକେ ଆନ୍ଦୋଳନକୁ ତେଜିଥିବା ବେଳେ ସହରର ମୁଖ୍ୟ ରାସ୍ତାରେ ଯାନବାହାନ ଯାତାୟାତ ସଂପୂର୍ଣ୍ଣ ଠପ ହୋଇପଡିଥିଲା | ତେବେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ନିକଟକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଆନ୍ଦୋଳନ ହଟିଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ