ବରଗଡ଼: ଜିଲ୍ଲାର ଘୁଲିପାଳି ଛକ ଠାରେ ବୋଲେରୋ ଦୁର୍ଘଟଣାରେ ଛତିଶଗଡ଼ର 13 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜାତୀୟ ରାଜପଥରେ ହଠାତ ଦୌଡ଼ିଆସିଥିବା ଗାଈକୁ ବଞ୍ଚାଇବାକୁ ଯାଇ ବୋଲେରୋ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆହତ ମାନଙ୍କ ମଧ୍ୟରୁ 6 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣା ସ୍ଥଳକୁ ସଙ୍ଗେ ସଙ୍ଗେ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ।
ସୂଚନା ଅନୁଯାୟୀ ଛତିଶଗଡ଼ର ଗୋଟେ ପରିବାର ଗତ ବିଳମ୍ବିତ ରାତିରେ ପୁରୀରୁ ମହାପ୍ରଭୁଙ୍କୁ ଦର୍ଶନ କରି ଏକ ବୋଲେରୋ ଯୋଗେ ଫେରୁଥିଲେ । ସେହି ସମୟରେ ବରଗଡ଼ ସ୍ଥିତ ଘୁଲିପାଳି ଛକ ନିକଟରେ ଗାଡ଼ି ସମ୍ମୁଖକୁ ହଠାତ ଏକ ଗାଈ ଦୌଡ଼ି ଆସିଥିଲା । ଗାଈକୁ ବଞ୍ଚାଇବାକୁ ଯାଇ ଡିଭାଇଡର ପିଟିହୋଇଥିଲା ବୋଲେରୋ ।
ଫଳରେ ଡିଭାଇଡର ଉପରକୁ ଚଢି ଓଲଟି ପଡ଼ିଥିଲା ବୋଲେରୋ । ତେବେ ଉକ୍ତ ଗାଡିରେ ଥିବା ୪ ଜଣ ପିଲାଙ୍କ ସହିତ ମୋଟ ୧୩ ଜଣ ଯାତ୍ରୀ ଥିବାବେଳେ ସମସ୍ତ ଯାତ୍ରୀ ଛତ୍ରଭଙ୍ଗ ହୋଇ ଏଣେତେଣେ ପଡ଼ିଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ସଦସ୍ୟ ମାନେ ଘଟଣା ସ୍ଥଳକୁ ପହଞ୍ଚି ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ ।
ଜଣେ ଯାତ୍ରୀଙ୍କ ଉପରେ ବୋଲେରୋ ଚାପି ହୋଇରହିଥିବା ବେଳେ ବହୁ କଷ୍ଟରେ ଗାଡ଼ିତଳୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ପ୍ରଥମେ ସମସ୍ତ ଆହତଙ୍କୁ ବରଗଡ଼ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ପରେ ୫ ଗୋଟି ଆମ୍ବୁଲାନ୍ସ ଏବଂ ସଂକଳ୍ପ ରଥ ସାହାଯ୍ୟରେ 13 ଜଣଙ୍କୁ ବୁର୍ଲା ବଡ଼ମେଡିକାଲକୁ ନେଇଥିଲେ ସଂକଳ୍ପ ପରିବାରର ସଦସ୍ୟ ।
ବୁର୍ଲା ଠାରେ ସମସ୍ତ ଯାତ୍ରୀଙ୍କ ସିଟି ସ୍କାନ କରାଯାଇଥିବା ବେଳେ 6 ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଗାଡି ତଳେ ଚାପିହୋଇଥିବା ଗୁରୁତର ମହିଳା ଜଣଙ୍କର ହାତ ଛିଣ୍ଡିଯାଇଥିବା ବେଳେ ତାଙ୍କୁ କଟକକୁ ପଠାଯାଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ