ବରଗଡ଼: ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗାଁରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ ଜିଲ୍ଲାରେ ମଧ୍ୟ ରାଜନୀତି ବେଶ ସରଗରମ ରହିଛି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭଟଲି ନିର୍ବାଚନ ମଣ୍ଡଳୀରେ ବିରୋଧୀ ପ୍ରାର୍ଥୀ ମାନେ ଯୁଦ୍ଧ ପୂର୍ବରୁ ଅସ୍ତ୍ର ପରିତ୍ୟାଗ କରିଦେଇଥିବା ପରିସ୍ଥିତି ଦେଖିବାକୁ ମିଳିଛି ।
ବିଜେପି ଓ କଂଗ୍ରେସ ଦଳର ଅନେକ ପ୍ରାର୍ଥୀ ନିଜନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଦେଇଥିବା ବେଳେ ସୁଶାନ୍ତ ସିଂଙ୍କ ସମର୍ଥିତ ୩୦ରୁ ଅଧିକ ଦଳୀୟ ପ୍ରାର୍ଥୀ ମାନେ ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ବରଗଡ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏପରି ଘଟଣା କେବେ ଘଟିନଥିବା ବେଳେ ଏହା ଇତିହାସ ସୃଷ୍ଟି କରିଛି । ନିର୍ବାଚନରେ ବିଜୟୀ ହୋଇଥିବା ଅନେକ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଛନ୍ତି ।
ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ସୋହେଲା ବିଜେଡି କାର୍ଯ୍ୟାଳୟ ଠାରେ ସୋହେଲା ବ୍ଲକର ନିର୍ଦ୍ୱନ୍ଦରେ ନିର୍ବାଚିତ ବିଜେଡି ସମର୍ଥିତ ୧୮ ଜଣ ସମିତି ସଭ୍ୟଙ୍କ ସହିତ ଅମ୍ବାଭୋନା ବ୍ଲକରୁ ନିଦ୍ଵନ୍ଦରେ ନିର୍ବାଚିତ ୭ଜଣ ସମିତି ସଭ୍ୟ,୩ଜଣ ସରପଞ୍ଚ ଓ ଓଡ଼ିଶା ରାଜ୍ୟରେ ଇତିହାସ ରଚିଥିବା ଏକ ମାତ୍ର ଜ଼ିଲ୍ଲା ପରିଷଦ ପ୍ରାର୍ଥିନୀ କଳ୍ପନା ପ୍ରଧାନଙ୍କୁ ଫୁଲତୋଡା ଦେଇ ଅଭିନନ୍ଦନ ଓ ଶୁଭକାମନା ଜଣାଇ ସମ୍ବର୍ଦ୍ଧିତ କରିଛନ୍ତି । ତେବେ ଗତ ବିଧାନସଭା ନିର୍ବାଚନ ପରଠାରୁ ଏହି ଅଞ୍ଚଳର ବିକାଶ ଧାରାକୁ ଦେଖି ବର୍ତ୍ତମାନ ଜନସାଧାରଣଙ୍କ ପ୍ରବଳ ମାତ୍ରାରେ ଆସ୍ଥା ବିଜେଡି ଉପରେ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ