ବରଗଡ଼: ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଝାରବନ୍ଧ ବ୍ଲକ । ଏଠିକାର ଲୋକେ ସରଳ ଜୀବନଯାପନ କରି ନିଜ ଜୀବିକା ନିର୍ବାହ କରିଥାନ୍ତି । ହେଲେ ମହାମାରୀ କୋରୋନା ଯୋଗୁଁ ଲକଡାଉନ ଓ ସଟଡାଉନ ପରେ ଏମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏହି ମହାମାରୀର ମହାସଙ୍କଟ ସମୟରେ ଦୁର୍ଦ୍ଦିନରେ ବଞ୍ଚୁଥିବା ବୃଦ୍ଧ, ବୃଦ୍ଧା, ଅସହାୟ, ଅନାଥ, ବିଧବାଙ୍କ ପାଇଁ ଦେବଦୂତ ସାଜିଛନ୍ତି ପଦ୍ମପୁର ବ୍ଲକ ଟାଲ ଗାଁର ସୁପୁତ୍ର ତଥା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ମହେନ୍ଦ୍ର ବଢ଼େଇ । ସବୁ ସମୟରେ ଏ ଅଞ୍ଚଳର ଲୋକଙ୍କୁ ନିଃସ୍ୱାର୍ଥପର ଭାବେ ପ୍ରତିଟି ଲୋକଙ୍କ ପାଇଁ ସାମାଜିକ, ଅର୍ଥନୈତିକ, ସ୍ୱାସ୍ଥ୍ୟ ସେବା ତଥା ନୈତିକ ସେବା ଯୋଗାଇ ଆସିଛନ୍ତି ।
ବର୍ତ୍ତମାନର ଲକଡାଉନ ଭଳି ପରିସ୍ଥିତିରେ ଅଞ୍ଚଳର ଶହ ଶହ ଲୋକଙ୍କ ଘରେ ଚାଉଳ, ଡାଲି, ବିସ୍କୁଟ ପ୍ରଭୃତି ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ଝାରବନ୍ଧ ଅଞ୍ଚଳରେ ଅକ୍ସିଜେନ ଅଭାବ ଯେପରି ନ ହେବ ଏଥିପାଇଁ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଯୋଗାଇଛନ୍ତି ଏହି ମହାମାନବ । ସାଧାରଣ ଲୋକ କାମଧନ୍ଦା ବନ୍ଦ ଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବାର ତହସିଲଦାରଙ୍କ ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ସେପଟେ ଏହି ଖାଦ୍ୟ ସାମଗ୍ରୀ ପାଇ ଲୋକଙ୍କ ଖୁସି କହିଲେ ନ ସରେ । ମହେନ୍ଦ୍ର ବଢେଇ ଡେଲାଙ୍ଗରେ ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିବା ବେଳେ ନିଜ ଅଞ୍ଚଳ ପ୍ରତି ସେ ସୁଦୃଷ୍ଟି ରଖି ଅସୁବିଧା ସମୟରେ ଖାଦ୍ୟସାମଗ୍ରୀ ଯୋଗାଇବା ପରି ମହତ ଉଦ୍ୟମକୁ ନେଇ ବହୁ ଗରିବ ଆଜି ତାଙ୍କ ଦୀର୍ଘ ଜୀବନର ମଙ୍ଗଳ କାମନା କରିଛନ୍ତି ।
ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ