ବରଗଡ: ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ୍ୟ । ଗୋଟେପଟେ ବରଗଡ ପୋଲିସ କରୋନା ମୁକାବିଲା ପାଇଁ ବ୍ୟସ୍ତ ରହୁଥିବା ବେଳେ ଅନ୍ୟପଟେ ନିଶା ମାଫିଆମାନେ ଏହାର ଫାଇଦା ଉଠାଇ ଜୋରଦାର ଚଳାଇଛନ୍ତି ନିଶା କାରବାର । କିଛିଦିନ ତଳେ ବରଗଡ ଜିଲ୍ଲା ବରପାଲି ଥାନାରେ ବ୍ୟାପକ କଫ ସିରଫ ଜବତ ହୋଇଥିବାବେଳେ ଆଜି ପୁଣି ବରଗଡ ଟାଉନ ଥାନା ପୋଲିସ ହାତରେ ଧରାପଡିଛି ବ୍ୟାପକ ନିଶା ସାମଗ୍ରୀ । ଟାଉନ ପୋଲିସ 2 ଜଣ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ମୁତାବକ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ଏକ ପିକଅପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲା । ପୋଲିସ ଏହି ଭ୍ୟାନକୁ ଛାନ୍ ଭିନ୍ କରିବା ପରେ ଉକ୍ତ ଭ୍ୟାନରେ 750 ବୋତଲ କଫ ସିରଫ, 800 ନାଇଟ୍ରୋଜେନ ଟ୍ୟାବଲେଟ, 800 ପେଣ୍ଟାଜୋସିନ ଇଞ୍ଜେକସନ, 73 ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଆଦି ଜବତ କରିଥିବା ଜଣାପଡିଛି ।
ତେବେ ପୋଲିସ ଉକ୍ତ ଭ୍ୟାନ ସହିତ 2 ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଦୁଇ ଜଣ ବରଗଡ ଟାଙ୍ଗର ପଡାର ସରଜନ ତରିଆ ଓ ଡାଙ୍ଗ ଗ୍ରାମର ରୋହିତ ଭୋଇ ବୋଲି ଜଣାପଡିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ