ବରଗଡ: ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ । ଏହି ଅଞ୍ଚଳରେ ମାଓବାଦୀଙ୍କ ସହିତ ମୁକାବିଲା କରି ଦୁଇ ଜଣ ମାଓବାଦୀଙ୍କୁ ନିପାତ କରି ସାହସିକତା ପ୍ରଦର୍ଶନ କରିଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଚଳିତ ସାଧାରଣ ତନ୍ତ୍ର ଦିବସରେ ରାଜଧାନୀରେ ଗ୍ୟାଲେଣ୍ଟ୍ରି ଆୱାର୍ଡ ଦିଆଯାଇଛି ।
ସୂଚନା ଅନୁଯାୟୀ ପାଇକମାଳ ବ୍ଲକ ଅନ୍ତର୍ଗତ ସାଲେପାଳି ଗ୍ରାମରେ ଗତ ୨୦୧୭ ମସିହା ସେପ୍ଟେମ୍ବର ୨୬ ତାରିଖରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ବରଗଡ ପୋଲିସ ମହିଳା ମାଓବାଦୀ ସମେତ ଦୁଇଜଣ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ।
ମୃତକ ମାଓବାଦୀ ଛତିଶଗଡ କ୍ୟାଡରର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମାଓବାଦୀ ଏରିଆ କମାଣ୍ଡର ଥିଲେ । ସେହି ସମୟରେ ସେମାନଙ୍କ ଠାରୁ ଗୋଟିଏ ଥ୍ରୀ ନଟ ଥ୍ରୀ , ୪୨ ରାଉଣ୍ଡ ଗୁଳି ସହିତ ବହୁ ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେହି ସାହସିକତା ଦେଖାଇଥିବା ପୋଲିସ ଇନେସ୍ପେକ୍ଟର ପ୍ରକାଶ କୁମାର କର୍ଣ୍ଣ , କନେଷ୍ଟବଳ ସୁଶୀଲ ଦାସ , ଆକାଶ ମହାପାତ୍ର , ଚନ୍ଦ୍ରମଣି ଭୋଇ ଓ ଶ୍ୟାମ ମାଝୀଙ୍କୁ ଭୁବନେଶ୍ବରରେ ପୋଲିସ ବିଭାଗ ପକ୍ଷରୁ ସାହସିକତା ପୁରସ୍କାର ଦିଆଯାଇଛି ।
ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ