ବରଗଡ: ବାହାର ରାଜ୍ୟରେ ଫସିରହିଥିବା ବରଗଡ ଜିଲ୍ଲାର ବହୁ ଶ୍ରମିକ ପ୍ରତିଦିନ ନିଜ ଗ୍ରାମକୁ ଫେରୁଥିବା ବେଳେ ରାଜ୍ୟ ଭିତରେ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଫସିରହିଥିବା ବହୁ ପରିବାର ନିଜ ନିଜ ଅଞ୍ଚଳକୁ ଫେରୁଛନ୍ତି । ତେବେ ନିଜ ଜିଲ୍ଲା ବରଗଡକୁ ଫେରି ଆସି ସହରର ବିଭିନ୍ନ ସ୍ଥାନରେ ଗଛ ତଳେ ଡେରା ପକାଇଥିବା ବହୁ ପରିବାରକୁ ଆଜି ଠାବ କରାଯାଇ ନିଜ ଅଞ୍ଚଳକୁ ପଠାଯାଇଛି ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳର ବହୁ ଶ୍ରମିକ ପରିବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଫସିରହିଥିବା ବେଳେ ସେମାନେ ନିଜ ଚେଷ୍ଟାରେ ମାଲବାହୀ ଟ୍ରକମାନଙ୍କ ସାହାଯ୍ୟରେ ବରଗଡ ଜିଲ୍ଲାକୁ ପହଞ୍ଚି ବିଭିନ୍ନ ସ୍ଥାନ ମାନଙ୍କରେ ବିଶ୍ରାମ ନେଇଥିଲେ ।
ଏନେଇ ସ୍ଥାନୀୟ କିଛି ଲୋକେ ଜିଲ୍ଲା ପ୍ରଶାସନକୁ ଖବର ଦେବାପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା ଏବଂ ଏକ ସରକାରୀ ବସ ସାହାଯ୍ୟରେ ସମସ୍ତ ଶ୍ରମିକ ପରିବାରମାନଙ୍କୁ ପାଇକମାଳ ଅଞ୍ଚଳକୁ ପଠାଯାଇଥିଲା ।
ଏହି ଶ୍ରମିକମାନେ ପଦ୍ମପୁର, ପାଇକମାଳ, ଝାରବନ୍ଦ ବ୍ଲକର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଏବଂ ୨୩ ଜଣ ପୁରୁଷ ଥିଲେ । ତେଣୁ ସମସ୍ତ ଶ୍ରମିକମାନଙ୍କୁ ସେମାନଙ୍କ ପଞ୍ଚାୟତ ମାନଙ୍କରେ ବ୍ୟବସ୍ଥା କରାଯାଇଥିବା କୋରାଣ୍ଟାଇନ ସେଣ୍ଟର ମାନଙ୍କରେ ରଖାଯିବାର ବ୍ୟବସ୍ଥା କରାଯିବ ।
ବରଗଡରୁ ରାଜେଶ ସରପ, ଇଟିଭି ଭାରତ