ବାଲେଶ୍ବର: ମହିଳା କେବେ ଗୃହିଣୀ ହୋଇ ପରିବାରର ଯତ୍ନ ନିଏ ତ ପୁଣି କେବେ କର୍ମଜୀବୀ ଭାବେ ପରିବାର ବୋଝ ହାଲୁକା କରେ । ଆଜିର ମହିଳା ସମାଜର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରୁଛନ୍ତି । ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ବାଟ ଚାଲୁଛନ୍ତି । ଗୃହିଣୀ ପରିଚୟ ସହିତ ନିଜର ଆଉ ଏକ ପରିଚୟ ସୃଷ୍ଟି କରୁଛି । ମହିଳା ସଶକ୍ତିକରଣର ସେଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରୂପସା କଷିପଦା ପଞ୍ଚାୟତରେ । ଏହି ଅଞ୍ଚଳର ପ୍ରାୟ 150 ଜଣ ମହିଳା ନିଜ ହାତର ଯାଦୁରେ ସଭିଁଙ୍କୁ ବାନ୍ଧି ରଖିଛନ୍ତି । ରେକ୍ସିନ ସୂତାରୁ ନାନା ହାତ ତିଆରି ସାମଗ୍ରୀ ତିଆରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ।
କଷିପଦା ଅଞ୍ଚଳର କୌଣସି ମହିଳା ବେରୋଜଗାର ନ ରହିବା ଲକ୍ଷ୍ୟରେ ଏହି ମହିଳାମାନେ ଆରମ୍ଭ କରିଥିଲେ କାର୍ଯ୍ୟ । କିଛି ନୂଆ କରିବାର ଇଚ୍ଛା ସେମାନଙ୍କୁ ଟାଣି ନେଇଥିବା ସଫଳତା ଆଡକୁ । ପ୍ରଥମେ 5 ହଜାର ଟଙ୍କାର ରେକ୍ସିନ ବା ମେକ୍ରମ ସୂତା ଆଣି ୟୁଟ୍ୟୁବ ଜରିଆରେ ଏହି ମହିଳାମାନେ ଆରମ୍ଭ କରିଥିଲେ କାରୁକାର୍ଯ୍ୟ । ଏକ ଗୋଷ୍ଠୀ ତିଆରି କରି ତାହାର ନାଁ ରଖିଥିଲେ କ୍ରିଷ୍ଣା ମେକ୍ରମ ପ୍ରଡ୍ୟୁସର ଗ୍ରୁପ । ଏହି ଗ୍ରୁପର ମହିଳାମାନେ ସୂତାରୁ 20 ରୁ 30 ପ୍ରକାରର ଘର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରନ୍ତି । ଏହି ସାମଗ୍ରୀ ମଧ୍ୟରେ ରହିଛି ଫୁଲଦାନୀ, କଳସ, ମୋବାଇଲ ଷ୍ଟାଣ୍ଡ, ଝୁମର, ପର୍ସ, ଭୋଗ ଡାଲା, ବୋତଲ, ହ୍ୟାଙ୍ଗର ଇତ୍ୟାଦି । ଯାହାକୁ ବଜାରରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ଏହି ମହିଳା । ଘର କାମ ସହ ଏହି କାର୍ଯ୍ୟକୁ ମଧ୍ୟ ସେମାନେ ଖୁବ ସୁରୁଖୁରୁରେ କରି ଆସୁଛନ୍ତି ।
ଏକ କିଲୋ ସୂତାରେ ତିନୋଟି ପର୍ସ ତିଆରି ହେଉଥିବାବେଳେ ସେହିପରି ତିନୋଟି ଫୁଲଦାନୀ, ଦୁଇଟି ଭୋଗ ଡାଲା, ଦୁଇଟି ଝୁମର, ଚାରୋଟି ମୋବାଇଲ ଷ୍ଟାଣ୍ଡ, ଦୁଇଟି ଗଣେଷ ଓ 11ଟି ବୋତଲ ହେଙ୍ଗର ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହି ରେକ୍ସିନ ସୂତାକୁ ସେମାନେ କଲିକାତାରୁ ଆମଦାନୀ କରିଥାନ୍ତି ଏବଂ ଏଭଳି ନିଖୁଣ ହସ୍ତକଳା ପ୍ରସ୍ତୁତ କରିଥାନ୍ତି ।
5 ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସାମଗ୍ରୀ ବ୍ୟବସାୟ ବର୍ତ୍ତମାନ 15 ଲକ୍ଷରେ ପହଞ୍ଚିଛି । ଜିଲ୍ଲା ତଥା ଜିଲ୍ଲା ବାହାରେ ଏହି ସାମଗ୍ରୀର ଢେର ଚାହିଦା ରହିଛି । ଏପରିକି ଓରମାସ ଜରିଆରେ ମଧ୍ୟ ମହିଳାମାନେ ବିଭିନ୍ନ ମେଳା ମହୋତ୍ସବରେ ନିଜ ହାତ ତିଆରି ଏହି ସାମଗ୍ରୀ ଷ୍ଟଲ ପକାଇଥାନ୍ତି । ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି । ଏହାବ୍ୟତୀତ ଖୁବଶୀଘ୍ର ଏହି ସାମଗ୍ରୀ ଅନଲାଇନରେ ଉପଲବ୍ଧ ହେବାକୁ ଯାଉଥିବା ଗ୍ରୁପର ମହିଳାମାନେ ଜଣାଇଛନ୍ତି । ପ୍ରଥମ କରି ଏକ ପର୍ସ 246 ଟଙ୍କାରେ ଅନଲାଇନ ଜରିଆରେ ବିକ୍ରି କରାଯାଇଛି । ଆହୁରିମଧ୍ୟ, ଏକ ଅନଲାଇନ କମ୍ପାନୀ ମହିଳାଙ୍କ ଏହି ନିଖୁଣ କାରୁକାର୍ଯ୍ୟରେ ଆକର୍ଷିତ ହୋଇ 5 ହଜାର ଦୋଳି ତିଆରି ପାଇଁ ଅର୍ଡର ଦେଇଥବା ଜଣାପଡିଛି । ଏହି କାରୁକାର୍ଯ୍ୟ ଜରିଆରେ କ୍ରିଷ୍ଣା ମେକ୍ରମ ପ୍ରଡ୍ୟୁସର ଗ୍ରୁପର ମହିଳାମାନେ ଘରର ଆର୍ଥିକ କ୍ଷେତ୍ରରେ ମଧ୍ୟ ସକ୍ରିୟ ଯୋଗଦାନ ଦେଉଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ