ବାଲେଶ୍ବର: ସତରେ କେଡ଼େ ନିଷ୍ଠୁର ହୋଇଗଲା ଦଇବ । ମାତ୍ର କେଇ ମିନିଟ ମଧ୍ୟରେ ଜଣେ ନୁହେଁ କି ଦୁଇଜଣ ନୁହେଁ ଶହଶହ ଜୀବନ୍ତ ମଣିଷକୁ ମୃତଦେହରେ ବଦଳାଇଦେଲା । କିଏ କାହା ମଥାର ସିନ୍ଦୁରକୁ ଖୋଜୁଛି ତ ଆଉ କିଏ ବାପାକୁ ଖୋଜୁଛି । ପୁଣି କିଏ ପୁଅକୁ ଖୋଜିଖୋଜି ନୟାନ୍ତ ହେଉଛି । କୁଢକୁଢ ମୃତଦେହ ମଧ୍ୟରେ ନିଜ ଆତ୍ମୀୟଙ୍କ ଖୋଜିବାରେ ଲାଗିଛନ୍ତି ସମ୍ପର୍କୀୟ । ସତରେ ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଘଟିଥିବା ଏଭଳି ଭୟଙ୍କର ରେଳ ଦୁର୍ଘଟଣା ଅନେକ ପରିବାରକୁ ଉଜାଡି ଦେଇଛି । ବିହାର ମଧୁବନ ଅଞ୍ଚଳରୁ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଖୋଜିବାକୁ ବାଲେଶ୍ବରରେ ଆସି ପହଞ୍ଚିଛନ୍ତି । ସ୍ବାମୀଙ୍କୁ ନପାଇବାରୁ ତାଙ୍କୁ ଖୋଜି ଆଣି ଦେବାକୁ ମହିଳା ଜଣକ ସଭିଙ୍କୁ ନେହୁରା ହେଉଛନ୍ତି ।
ଘଟଣା ଦିନ ବିହାରର ମଧୁବନ ଅଞ୍ଚଳର ଜଣେ ବ୍ୟକ୍ତି ଘରୁ ନିଜ କର୍ମକ୍ଷେତ୍ରକୁ ଯିବାକୁ ବାହାରିଥିଲେ । କୋଲକାତାରେ ଟ୍ରେନ ବଦଳାଇ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଇଥାନ୍ତେ । ପୁଣିଥରେ ଫେରିବାର ଭରସା ଦେଇ ଘରୁ ବାହାରିଥିଲେ ସ୍ୱାମୀ । ହେଲେ ଅଧା ବାଟରେ ଛପି ରହିଥିଲା ଯମ । ବାଲେଶ୍ବର ରେଳ ଷ୍ଟେସନ ଅତିକ୍ରମ କରିବାର କିଛି ସମୟ ପରେ ଘଟିଥିଲା ଏମିତି ହୃଦୟ ବିଦାରକ ଦୁର୍ଘଟଣା । ସେପଟେ ସ୍ତ୍ରୀ ଦୁର୍ଘଟଣା ଖବର ପାଇ ସୋର ମେଡିକାଲରେ ପହଞ୍ଚିଛନ୍ତି ଏବଂ ସ୍ବାମୀଙ୍କୁ ଖୋଜିଛନ୍ତି, ହେଲେ ତାଙ୍କୁ ପାଉ ନାହାନ୍ତି । ଭଗବାନଙ୍କୁ ବାରମ୍ବାର ଦୋଷ ଦେଇ ମୁଣ୍ଡ ପିଟି କାନ୍ଦି ଚାଲୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: Train Tragedy: ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ପାଠ ପଢାଇବ ଆଦାନୀ ଗ୍ରୁପ
କହୁଛନ୍ତି, "କଥା ଦେଇଥିଲେ ଘରକୁ ଫେରିବେ ହେଲେ କେଉଁ ଆଡ଼େ ଚାଲିଗଲେ । ମୋ ସ୍ବାମୀ କେଉଁଠି ଅଛନ୍ତି କିଏ ଖୋଜିଦିଅ ।" ବାରମ୍ବାର ଲୋକଙ୍କ ନିକଟରେ ନେହୁରା ହେଉଛନ୍ତି । ସ୍ବାମୀଙ୍କ ମୃତ୍ୟୁ ଘଟି ସାରିଥିବା ନେଇ ପରିବାର ଲୋକେ ଅବଗତ ଅଛନ୍ତି । ହେଲେ ସ୍ତ୍ରୀର ଅଧର୍ଯ୍ୟ ଅବସ୍ଥାକୁ ଦେଖି ସ୍ୱାମୀଙ୍କ ମୃତ୍ୟୁ ଖବର ଦେବାକୁ କାହାରି ସାହସ ହେଉନାହିଁ । ସେଥିପାଇଁ ସାନ୍ତ୍ବନା ଦେଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ମନର କୋହକୁ ଅଟକାଇ ରଖିପାରୁନି ସ୍ତ୍ରୀ । ପାଖରେ ଥିବା ସ୍ଥାନୀୟ ଲୋକ ମଧ୍ୟ ତାଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ସେ ବୁଝିବାକୁ ନାରାଜ ।
ଇଟିଭି ଭାରତ, ବାଲେଶ୍ବର