ବାଲେଶ୍ବର: କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ନେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ବିରୋଧର ସ୍ବର ଉଠିଥିବା ବେଳେ ଏହାର ସପକ୍ଷରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର ମତ ରଖିଛନ୍ତି । କୃଷି ବିଲ ଦ୍ବାରା ସାଧାରଣ ଚାଷୀଟିଏ ଶସ୍ୟ କିଣାବିକା ବେଳେ ଉଚିତ ମୂଲ୍ୟ ପାଇବାରେ ସହାୟକ ହେବ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।
ନୂତନ କୃଷି ବିଲକୁ ନେଇ ବିଭିନ୍ନ ମହଲରେ ଘୋର ବିରୋଧ ଦେଖାଯାଉଛି । ବିଭିନ୍ନ ରାଜ୍ୟରେ ସାଧାରଣ ଜନତା ଏବଂ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ କରଯାଉଛି । ଏହି କୃଷି ବିଲ ଦ୍ବାରା କର୍ପୋରେଟ ସେକ୍ଟର ଲାଭବାନ ହେବେ ବୋଲି ବିରୋଧୀ ଅଭିଯୋଗ ଆଣୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ସେ କହିଛନ୍ତି, ମଣ୍ଡିରେ କୃଷକର ଧାନ ମାସ ମାସ ଧରି ପଡି ରହି ନଷ୍ଟ ହେଉଥିବା ବେଳେ ଏମଏସପି ଅନୁସାରେ ଚାଷୀ ଉଚିତ ମୂଲ୍ୟ ପାଇପାରୁ ନଥିଲା । ଏସବୁ ଦିଗକୁ ଲକ୍ଷ୍ୟ କରି ଏହି ବିଲ ଅଣାଯାଇଛି । ଯାହାଦ୍ବାରା ଚାଷୀଟିଏ ସିଧାସଳଖ ଉପଯୁକ୍ତ ମୂଲ୍ୟ ପାଇପାରିବ । ସବୁ ଭଲ କାମରେ ବିରୋଧର ସ୍ବର ଉଠେ, ସେଥିପାଇଁ କିଛି ଚିନ୍ତା କରିବାର ନାହିଁ ବରଂ ଚାଷୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଶସ୍ୟର ଉଚିତ ସହାୟକ ମୂଲ୍ୟ ଦେବାପାଇଁ କେନ୍ଦ୍ର ସରାକର ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ