ବାଲେଶ୍ବର: ନିର୍ବାଚନୀ ପ୍ରଚାରକୁ ନେଇ ଏବେ କଂଗ୍ରେସ ଟାର୍ଗେଟରେ ରାସ୍ତାକଡର ଦୋକାନୀ । ଅନ୍ୟ ଦଳମାନେ ଘର ଘର ବୁଲି ପ୍ରଚାର ଚଳାଇଥିବାବେଳେ ରାସ୍ତାକଡରେ ଥିବା ଦୋକାନୀମାନଙ୍କୁ ଏକାଠି କରିବାରେ ଲାଗିଛି କଂଗ୍ରେସ । ଏନେଇ ଶନିବାର କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ସଦର ବିଧାୟକ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ବିଭିନ୍ନ ଦୋକାନ ବୁଲିବା ସହ ବାଣ୍ଟିଛନ୍ତି ପ୍ରଚାର ପତ୍ର ।
ତେବେ ଏହି ପ୍ରଚାର ମାଧ୍ୟମରେ କଂଗ୍ରେସ କର୍ମୀଙ୍କୁ ଇଟିଭି ଭାରତ ଟିମ୍ ଭେଟି ସେମାନଙ୍କ ନିର୍ବାଚନୀ ମୁଦ୍ଦା ପଚାରି ବୁଝିଥିଲା । କର୍ମୀମାନଙ୍କ କହିବା ଅନୁଯାୟୀ ଟାଉନକୁ ସ୍ମାର୍ଟ ସିଟିରେ ପରିଣତ କରିବା ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ । ଏଥିସହ ସହରରେ ଥିବା ବେକାରୀ ସମସ୍ୟାକୁ ଦୂର କରିବା ମଧ୍ୟ ଲକ୍ଷ ରହିଛି । ତେଣୁ ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଗଲେ ନୂଆ ଇଣ୍ଡଷ୍ଟ୍ରି ସହ ବେକାରୀ ସମସ୍ୟାକୁ ଦୂର କରାଯାଇ ପାରିବ ।
ଏଥିସହ ଶିଳ୍ପର ବିକାଶ, ନିଯୁକ୍ତି, ମହିଳାଙ୍କ ସୁରକ୍ଷାର ସ୍ବପ୍ନ ଦଳର ରହିଥିବା ପ୍ରକାଶ କରିଥିଲେ ପ୍ରାର୍ଥୀ । ଅନ୍ୟପଟେ ସହରରେ ମାର୍କେଟ କମ୍ପ୍ଲେକ୍ସ ନଥିବାରୁ ଲୋକଙ୍କୁ ଅସୁବିଧା ହେଉଛି । ତେଣୁ କ୍ଷମତାକୁ ଆସିବା ପରେ ସହରରେ ମାର୍କେଟ କମ୍ପ୍ଲେକ୍ସ ଖୋଲିବା ସହ ଭେଣ୍ଡିଂ ଜୋନ ଖୋଲିବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ପ୍ରାର୍ଥୀମାନେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ