ବାଲେଶ୍ବର: ରାଜ୍ୟ ସରକାରଙ୍କ ଅନେକ ଯୋଜନା ଭିତରେ ଗରିବ କେତେବେଳେ ଶୋଷଣର ଶିକାର ହେଉଛି ତ କେତେବେଳେ ଅସହାୟ ହୋଇ ପଡୁଛି। ଜନ୍ମ ଠାରୁ ମୃତ୍ୟୁ ଯାଏଁ ସରକାରୀ ଯୋଜନା ଭିତରେ ଅନେକ ଅସହାୟ ମଣିଷ ଅବହେଳାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ସେମିତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ହରିପୁର ଗାଁର ବୃଦ୍ଧା ବୁଲି ବେୱା ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ଦେଖିବାକୁ ମିଳିଛି।
ଏକ ୧୦ ଫୁଟ ବିଶିଷ୍ଟ ପଲିଥିନ ତଳେ ବୁଲି ବେୱାଙ୍କ ଜୀବନ ବିତୁଥିବାବେଳେ ପ୍ରଶାସନର ନଜର ଆଢୁଆଳରେ ତାଙ୍କ ଦୁଃଖ ଚାପି ହୋଇଯାଇଛି। ପ୍ରାୟ ୩୦ ବର୍ଷ ପୂର୍ବରୁ ସ୍ବାମୀଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ବୁଲି ବହୁ ଦୁଃଖ କଷ୍ଟରେ ୨ ପିଲାକୁ ବଢ଼ାଇ ଥିଲେ। ପରିବାରରେ ସବୁକିଛି ଠିକଠାକ ଚାଲିଥିବାବେଳେ ରୋଜଗାରିଆ ପୁଅ ଆରପାରିକୁ ଚାଲିଗଲା। ଦୁଇ ଝିଅଙ୍କୁ ମାଗିଯାଚି ବିବାହ କରାଇବା ପରେ ବୁଲି ବେୱା ଏବେ ବେସାହାରା ହୋଇ ପଡିଛନ୍ତି ।
ଭଲ ଘର ଖଣ୍ଡିଏ ନଥିବାରୁ ବର୍ଷା ହେଲେ ବୁଲି ବେୱା ପର ପିଣ୍ଢା ଉପରେ ଭରସା କରୁଛନ୍ତି। ବହୁବାର ବୁଲି ବେୱା ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ସେତିକି ସହାୟତା ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ତେବେ ପ୍ରାପ୍ତ ବୟସ୍କା ବୁଲି ବେୱାଙ୍କ ପ୍ରତି କେବେ ସରକାରୀ ନଜର ପଡୁଛି ତାହା ଦେଖିବାକୁ ବାକି ରହିଲା।
ବାଲେଶ୍ବରରୁ ଜାବନ ଜ୍ୟୋତି ନାୟକ, ଇଟିଭି ଭାରତ