ବାଲେଶ୍ବର: ଜନସଂଖ୍ୟା ବିସ୍ଫୋରଣ ସହ ବଢିଚାଲିଛି ଯାନବାହନ ସଂଖ୍ୟା। ବିଂଶ ଶତାଦ୍ଦୀରେ ବୁଦ୍ଧିମାନ ମଣିଷ ପାଇଁ ବିପଦ ହୋଇ ଉଭା ହୋଇଛି ବାୟୁ ଓ ଶବ୍ଦ ପ୍ରଦୂଷଣ। ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ବେଳ ହୁଁ ସାବଧାନ ହେବାକୁ ବୈଜ୍ଞାନିକ ମାନେ ବଜେଇଲେଣି ସତର୍କ ଘଣ୍ଟି। ତେବେ ଏହି ସମସ୍ୟାକୁ ସାମାନ୍ୟ ରିହାତି ଦେବାକୁ ବଜାରକୁ ଏଣ୍ଟ୍ରି କରିଛି ବ୍ୟାଟେରୀ ଚାଳିତ ଗାଡି। କୋରୋନା କାଳରେ ଲକଡାଉନ ଯୋଗୁଁ ବାୟୁମଣ୍ଡଳ ସଫା ରହିଥିଲା ମାତ୍ର ଅନଲକ ପରେ ପୁଣି ''ଯଥା ପୂର୍ବଂ ତଥା ପରଂ''। ଏସବୁର ବିକଳ୍ପ ପାଇଁ ଏବେ ଲୋକଙ୍କ ମଧ୍ୟରେ ବ୍ୟାଟେରୀ ଚାଳିତ ବାଇକର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ନା ଅଛି ପେଟ୍ରୋଲ ପକାଇବାର ଝଞ୍ଜଟ ନା ବଢୁଥିବା ତୈଳଦରର ଚିନ୍ତା। ପ୍ରଦୂଷଣ ରୋକିବା ଦିଗରେ ବ୍ୟାଟେରୀ ଚାଳିତ ଗାଡିକୁ ସୁଲଭ ମୂଲ୍ୟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଯୋଗାଉଛନ୍ତି ପ୍ରୋତ୍ସାହନ।
ଏହି ଗାଡ଼ି କିଣିଲେ ସରକାରଙ୍କ ପକ୍ଷରୁ ରହିଛି ସବସିଡ଼ିର ବ୍ୟବସ୍ଥା । ଯେଉଁଥି ପାଇଁ ବାଲେଶ୍ଵରବାସୀଙ୍କ ବେଶ ଡିମାଣ୍ଡରେ ଏହି ସାଉଣ୍ଡ ଲେସ ଗାଡି। ଜିଲ୍ଲାରେ ଥିବା ଗାଡି ସୋରୁମରେ ପ୍ରତିଦିନ ଜମୁଛି ପ୍ରବଳ ଭିଡ଼। ଏହା ବିଷୟରେ ଜାଣିବା ପାଇଁ ଲୋକଙ୍କ ମନରେ ବେଶ ଆଗ୍ରହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏହି ଗାଡି ଏବେ 3ଟି ପ୍ରମୁଖ ପ୍ରକାରର ଉପଲବ୍ଧ ହେଉଛି। ଯେଉଁଥିରେ ଲିଥିଅମ ବ୍ୟାଟେରୀ ଖଞ୍ଜା ଯାଇଛି। ଗୋଟିଏ ଗାଡି ଦୁଇଘଣ୍ଟା ଚାର୍ଜ କଲେ 60 କିମି ଯାଉଥିବା ବେଳେ ଅନ୍ୟ ଏକ ମଡେଲ ଥରେ ଚାର୍ଜ କଲେ 110 କିମି ରାସ୍ତାରେ ଦୌଡିବ। ସେହିପରି କିଛି ମଡେଲ ରହିଛି ଯେଉଁଥିରେ ନମ୍ବର ଆଵଶ୍ୟକତା ହେଉନାହିଁ। ଏଥିରେ ଥିବା ବ୍ୟାଟେରି ଓ ମୋଟର ପାଇଁ କମ୍ପାନୀ ପକ୍ଷରୁ 3 ବର୍ଷ ଗ୍ୟାରେଣ୍ଟି ଦିଆଯାଇଛି। ଏହି ଗାଡିର ନା ଅଛି ଶବ୍ଦ ନା ଅଛି ପ୍ରଦୂଷଣ।
ବର୍ତ୍ତମାନ ଏହି ଗାଡି କେବଳ ମୋଫେଡ ମଡେଲରେ ଉପଲବ୍ଧ ହେଉଛି। ଆଗାମୀ ଦିନରେ ବାଇକ ମଡେଲ ଆସିବ ବୋଲି ସୂଚନା ମିଳିଛି। ବ୍ୟାଟେରୀ ଗାଡି କିଣିଥିବା ଲୋକମାନେ ପେଟ୍ରୋଲ ଖର୍ଚ୍ଚରୁ ବଞ୍ଚୁଥିବା ବେଳେ ଏହା କେବଳ ଇକୋ ଫ୍ରେଣ୍ଡଲି ନୁହେଁ ବରଂ ବଜେଟ ଫ୍ରେଣ୍ଡଲି ବୋଲି କୁହାଯାଉଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ