ବାଲେଶ୍ବର: ଦଇବର ବିଚାର ବଡ ବିଚିତ୍ର । ଦୁନିଆ କ'ଣ ବୁଝିବା ଆଗରୁ ଆରପାରିକୁ ଚାଲିଗଲା ମାଆ । ଘରେ ଦୃଷ୍ଟିବାଧିତ ବାପାଙ୍କ ସହ ଦୁଃଖ ଦରିଆରେ ରହିଗଲା କୁନି ଝିଅ । ଦୃଷ୍ଟିବାଧିତ ବାପା କାମଧନ୍ଦା କରିବାକୁ ଅକ୍ଷମ ହେବାରୁ ପରିବାରର ବୋଝ ଅଜାଡି ହୋଇପଡିଲା ୯ ବର୍ଷର ଝିଅ କାନ୍ଧରେ । କ'ଣ ଅବା କରିଥାନ୍ତା, ପେଟ ପୋଷିବାକୁ ଶେଷରେ କଅଁଳ ବୟସରେ ହାତରେ ଭିକ ଥାଳି ଧରିଲା ଝିଅ । ଦିବ୍ୟାଙ୍ଗ ବାପାଙ୍କୁ ସାଙ୍ଗର ଧରି ଦୁଆର ଦୁଆର ବୁଲି ଭିକ ମାଗିଲା । ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଦାଣ୍ଡହରିପୁର ପଞ୍ଚାୟତର ଛ ବାଟିଆ ଗ୍ରାମରେ ।
ଗ୍ରାମର ଦିବ୍ୟାଙ୍ଗ ଭାନୁ ସିଂଙ୍କ ସ୍ତ୍ରୀ ଦୀର୍ଘ ଦିନ ଆଗରୁ ଆରପାରିକୁ ଚାଲି ଯାଇଛନ୍ତି । ଗୋଟିଏ ବୋଲି ଝିଅ ପୂଜାକୁ ନେଇ ଦୃଷ୍ଟିବାଧିତ ଭାନୁ ଦାଣ୍ଡରେ ବୁଲି ଭିକ୍ଷାବୃତ୍ତି କରୁଛନ୍ତି । ଭାନୁ ଭଲ ବଂଶୀ ବାଦନ କରନ୍ତି । ତାଙ୍କର ବଂଶୀ ଧ୍ବନି ଲୋକଙ୍କୁ ବେଶ ଆନନ୍ଦିତ କରେ । ତେଣୁ ସକାଳେ ହେଲେ ବାପାଙ୍କୁ ଧରି ଭିକ ମାଗିବା ପାଇଁ ବାହାରି ଯାଏ କୁନି ଝିଅ । ଭାନୁ ବଂଶୀ ବଜାନ୍ତି ଓ ୯ ବର୍ଷର ପୂଜା ହାତରେ ଥାଳ ଧରି ଭିକ ମାଗିଥାଏ । ବାହାନଗା ତଥା ଆଖପାଖ ଗାଁରେ ପ୍ରାୟ ସବୁବେଳେ ଏହି ଦୃଶ୍ୟ ଦେଖିବାକୁ ମିଳେ ।
ଦିନେ ଭିକ ନମାଗିଲେ ନଚଳେ । ପେଟକୁ ଗଣ୍ଡିଏ ଦାନା ଯୋଗାଡ ଲାଗି ନିତିଦିନ ବାପ ଝିଅଙ୍କୁ ଭିକ ମାଗିବାକୁ ପଡିଥାଏ । ସକାଳୁ ଉଠି ବାପ ଝିଅ ଚାଲି ଯାଆନ୍ତି ଭିକ୍ଷା ବୃତ୍ତି କରିବା ପାଇଁ । ଏମିତି ଦୟନୀୟ ଅବସ୍ଥା ପାଇଁ କେବଳ ଭାଗ୍ୟକୁ ନିନ୍ଦିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି ବାଟ ନାହିଁ । ଏହାରି ଭିତରେ ଏହି ଦୁଃଖି ପରିବାର ବିଷୟରେ ଖବର ପାଇ ବାଲେଶ୍ଵରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ସୋସାଇଟି ଭାନୁଙ୍କ ପରିବାର ପାଖରେ ପହଞ୍ଚିଥିଲା । ସଂଗଠନର ସଭାପତି ହ୍ରିତିକ ନାୟକଙ୍କ ଆହ୍ୱାନରେ ସୋସାଇଟିର ସମସ୍ତ ମହିଳା କର୍ମକର୍ତ୍ତା ଓ ବାଲେଶ୍ଵର ଜିଲ୍ଲାର କର୍ମକର୍ତ୍ତାମାନେ ଭାନୁ ସିଂଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ୩ ମାସର ରାସନ ସାମଗ୍ରୀ ଓ ଝିଅ ପୂଜାର ପାଠ ପଢ଼ିବା ପାଇଁ ସମସ୍ତ ଦାୟିତ୍ବ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ସମୟରେ ହେଲ୍ପିଂ ସୋସାଇଟିର ଉପସଭାପତି ଜୀବନ ସଂଗ୍ରାମ ମିଶ୍ର, ଅରୁପ ସାହୁ, ସୁମିତ ରଞ୍ଜନ କର, ସୁଧାଂଶୁ ଶେଖର ବାରିକ , ଦିବ୍ୟ ରଞ୍ଜନ ଦାସ ଏବଂ ବାହାନଗା ବ୍ଲକ ସଂଗଠନର ସଭାପତି ଅନିମା ମାଝୀ ସମ୍ପାଦିକା ସବିତା ଅଗସ୍ତିଙ୍କ ସହ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ତେବେ ଏହି ଅସହାୟ ପରିବାର ପ୍ରତି ସରକାର ସହାୟତାର ହାତ ବଢାଇବାକୁ ନିବେଦନ କରାଯାଇଛି ।
ଇଟିଭି ଭାରତ, ବାଲେଶ୍ବର