ବାଲେଶ୍ବର: ଦେହରେ ଆଉ ବଳ ନାହିଁ । ୫ ମାସ ହେଲା ଶଯ୍ୟାସାୟୀ ହୋଇ କଷ୍ଟ ଭୋଗୁଛନ୍ତି । ନା ଠିକ ଭାବରେ ଠିଆ ହୋଇ ପାରୁଛନ୍ତି ନା ଠିକରେ କଡ଼ ଲେଉଟାଇ ପାରୁଛନ୍ତି । କ୍ୟାନ୍ସର ବିରୁଦ୍ଧରେ ଲଢ଼େଇ ଜାରି ରଖିଛନ୍ତି ହେଲେ ସୁସ୍ଥ ହେବା ଦିଗରେ ଅର୍ଥ ସାଜିଛି ବାଧକ। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ଗ୍ରାମର ରମେଶ ରାଉତ ଏଭଳି ଭାବେ ଯନ୍ତ୍ରଣା ସହି ଦିନ କାଟିବାରେ ଲାଗିଛନ୍ତି ।
ଦିନ ମଜୁରିଆ ଭାବେ କାମ କରି ପରିବାର ପେଟ ପାଳୁଥିଲେ ଦୁଧହଂସା ଗ୍ରାମର ରମେଶ ରାଉତ । ଯାହା ରୋଜଗାର ହୁଏ ସେଥିରେ ପରିବାର କଷ୍ଟମଷ୍ଟେ ଚାଲିଯାଏ । ଦୁଃଖୀ ପରିବାର ଉପରେ ହଠାତ ଦାଉ ସାଧିଥିଲା ଦଇବ। ୫ ମାସ ପୂର୍ବେ ରମେଶଙ୍କ ଶରୀର ହଠାତ ଅଚଳ ହୋଇଗଲା। ଡାକ୍ତରୀ ପରୀକ୍ଷା ପରେ ଜଣାପଡିଲା ରମେଶ ମସ୍ତିଷ୍କ ଓ ଫୁସଫୁସ କର୍କଟରେ ଆକ୍ରାନ୍ତ।
ଏହାପରେ ପରିବାର ଋଣ କରି ରମେଶଙ୍କ ଚିକିତ୍ସା କରାଉଛନ୍ତି । ତେବେ ତାହା ପର୍ଯ୍ୟାପ୍ତ ହୋଇ ପାରୁନାହିଁ । ବର୍ତ୍ତମାନ ସୁଦ୍ଧା ରମେଶଙ୍କ ପରିବାର ପ୍ରାୟ ଦେଢ଼ ଲକ୍ଷ୍ୟ ଟଙ୍କାରୁ ଅଧିକ ରମେଶଙ୍କ ଚିକିତ୍ସା ବାବାଦକୁ ଖର୍ଚ୍ଚ କରି ସାରିଲେଣି । ଏବେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ମୋଟା ଅଙ୍କର ଅର୍ଥ ଆବଶ୍ୟକ। ମାତ୍ର ଟଙ୍କା ଯୋଗାଡ କରିବାରେ ଅସମର୍ଥ ରମେଶଙ୍କ ପରିବାର।
ଦିନକୁ ଦିନ ଶରୀର ଅସୁସ୍ଥ ହୋଇ ପଡ଼ୁଛି ଆଉ କ୍ଷୀଣ ହୋଇପଡିଛି ସ୍ବର । ଏଭଳି ସ୍ଥିତିରେ ରମେଶଙ୍କୁ ଭଲ କରିବା ପାଇଁ ପରିବାର ଲୋକେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ଲୋଡିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ