ବାଲେଶ୍ବର: ଅତୀତରେ ଓଡିଶାକୁ ଶତ୍ରୁଙ୍କ କବଳରୁ ରକ୍ଷା କରୁଥିବା ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଦୁର୍ଗ (Raibania Fort in Balasore ) ଏବେ ମାଟିରେ ମିଶିବାକୁ ବସିଛି । ନିଜ ସୁରକ୍ଷା ପାଇଁ ସତେ ଯେମିତି ଏବେ ଅନେଇ ବସିଛି ସରକାରୀ ବ୍ୟବସ୍ଥାକୁ ।
ଆଫଗାନ, ହ୍ୟୁନ, ମୋଗଲ, ମରହଟ୍ଟା ଆଦି ବାହ୍ୟ ଶତ୍ରୁଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସେତେବେଳେ ଏହି ଦୁର୍ଗ ସାଜିଥିଲା ସୁରକ୍ଷା କବଚ । ମାତ୍ର ଆଜି ଏହା ସତେ ଯେମିତି ଇତିହାସ ( Raibania Fort History) ପୃଷ୍ଠାରୁ ଲିଭିବାକୁ ବସିଛି ।
ଇତିହାସ ବହନ କରୁଥିବା ଏହି ଦୁର୍ଗ ଆଜି ସତେ ଯେମିତି ସରକାରୀ ବିଧିଵ୍ୟଵସ୍ଥାର ଫାଇଲ ତଳେ ଚାପି ହୋଇ ରହିଯାଇଛି। ଏବେ ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି ସତ ହେଲେ ଦୁର୍ଗ ନିକଟକୁ ଯିବାପାଇଁ ନା ଖଣ୍ଡେ ଭଲ ରାସ୍ତା ଅଛି ନା ଦୁର୍ଗର ବିକାଶ ଦିଗରେ କାହାର ଚିନ୍ତା ଅଛି ।
ପ୍ରାୟ ୧୨୩୮-୧୨୬୪ ଖ୍ରୀଷ୍ଟାବ୍ଦରେ ଏହି ଦୁର୍ଗ ହସ୍ତି ଓ ଅଶ୍ୱାରହୀ ପ୍ରଶିକ୍ଷଣ କେନ୍ଦ୍ର ଥିଲା ବୋଲି ଶୁଣିବାକୁ ମିଳେ । ଏହା ସେତେବେଳର ଉଡ୍ର ରାଜ୍ୟକୁ ସୁରକ୍ଷା ଯୋଗାଉଥିଲା । କୁତବୁଦ୍ଦିନ ଆଇବାକଙ୍କ ଉତ୍କଳ ଆକ୍ରମଣ ସମୟରେ ସୁରକ୍ଷା ଦେବାରେ ଏହି ଦୁର୍ଗର ମୁଖ୍ୟ ଭୂମିକା ଥିଲା ।
ପଞ୍ଚୁପାଣ୍ଡଵ ଦ୍ରୌପଦୀଙ୍କୁ ଧରି ଗୋଟିଏ ବର୍ଷ ଏଠାରେ ଆତ୍ମଗୋପନ କରିଥିବା କଥା ମଧ୍ୟ କୁହାଯାଉଛି । ଅନଙ୍ଗଭୀମ ଦେବ ତୃତୀୟ ରାଜତ୍ୱ କାଳରେ ମହମ୍ମଦ ଘୋରୀ ପ୍ରାୟ ୧୧୯୧ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରି ପୃଥିରାଜଙ୍କୁ ପରାସ୍ତ କରିଥିଲେ। ପରେ ଓଡିଶା ଜୟ କରିବା ପାଇଁ ସେନାପତି କୁତବୁଦ୍ଦିନ ଆଇବାକଙ୍କୁ ଦାୟିତ୍ୱ ଦେଇ ଯାଇଥିଲେ । ରାଜ୍ୟ ପରେ ରାଜ୍ୟ ଜୟ କରି ଗୋଟିଏ ବର୍ଷ ଭିତରେ ସେ ଓଡିଶା ଉତ୍ତର ସୀମାନ୍ତରେ ଆସି ପହଞ୍ଚିଲେ । ଓଡିଶାର ଶକ୍ତିଶାଳୀ ସୈନ୍ୟ ବାହୀନି ଯୋଗୁଁ କୁତବୁଦ୍ଦିନ ଆଇବାକଙ୍କୁ ପରାସ୍ତ ହେବାକୁ ପଡିଥିଲା ।
ଏହା ପରେ ଲାଙ୍ଗୁଳା ନରସିଂହଦେବ ରାଜତ୍ୱ ବେଳେ ଅଷ୍ଟାଦଶ ନିର୍ମାଣ ଢଙ୍ଗରେ ଏହି ଦୁର୍ଗର ଆଧୁନୀକରଣ କରାଯାଇଥିଲା । ସୁବର୍ଣ୍ଣାରେଖା ନଦୀର ଅନତି ଦୂରରେ ଅବସ୍ଥିତ ଏହି ଦୁର୍ଗ ।
ରାଜା ମହାରାଜା ମାନେ ଏହି ଦୁର୍ଗରେ ଅବସ୍ଥାନ କରି ସାମ୍ରାଜ୍ୟକୁ ସୁରକ୍ଷା ଦେଇଆସୁଥିଲେ । ଉକ୍ତ ଦୁର୍ଗ ପାଖରେ ପ୍ରାୟ ୧୮ ଟି ଅନ୍ୟ ଛୋଟ ଦୁର୍ଗ ଥିଲା ବୋଲି ଲୋକକଥାରୁ ଜଣାପଡେ । ଏଥିରେ ବାହ୍ୟଶତ୍ରୁ ଆକ୍ରମଣ ସମୟରେ ସୁଡଙ୍ଗ ପଥରେ ଅନ୍ୟ ସ୍ଥାନକୁ ଯିବାର ବ୍ୟବସ୍ଥା ରହିଥିଲା । ଏହି ଦୁର୍ଗ ଚାରିପଟେ ୭ଟି ଗଡଖାଇ ପ୍ରାଚୀର ରହିଥିଲା । ରାଇବଣିଆ ଦୁର୍ଗକୁ କେନ୍ଦ୍ରକରି ପ୍ରାୟ ୧୦ ମାଇଲ ଦୂର ଲମ୍ବରେ ରାଇବଣିଆ କୀର୍ତ୍ତିରାଜି, ପଥର ଖୋଦିତ ମୂର୍ତ୍ତି ବିକ୍ଷିପ୍ତ ଭାବେ ପଡି ରହିଥିବା ଦେଖିବାକୁ ମିଳେ ।
ଅତୀତର ଏହି କୀର୍ତ୍ତିରାଜିକୁ ଆଜି ଅଳିଆ ଆବର୍ଜନା ଢାଙ୍କି ପୂର୍ବ ପୁରୁଷଙ୍କ ମହାନ ଗାଥାକୁ ଲୋକ ଲୋଚନକୁ ଆଣିବାକୁ ବାଧକ ହେଉଛି । ଦୁର୍ଗକୁ ଯିବାପାଇଁ ସ୍ୱାଗତ ତ୍ୱରଣ ନିର୍ମାଣ ହେଉଛି ସତ ହେଲେ ଦୁର୍ଗର ବିକାଶ କିମ୍ବା ଏହାର ପୁନରୁଦ୍ଧାର ପାଇଁ ସରକାରୀସ୍ତରରେ ଚିନ୍ତା କରିବାର ଆଵଶ୍ୟକତା ଥିବା ବୁଦ୍ଧିଜୀବୀଙ୍କ ମହଲରେ ଦାବି ଉଠୁଛି ।
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଲେଶ୍ଵରର ହୋଇଥିବା ବେଳେ ଏମିତି ପର୍ଯ୍ୟଟନ କ୍ଷେତ୍ର ଆବେହଳିତ ହୋଇ ପଡିରହିବା ବିଡ଼ମ୍ବନାର ବିଷୟ ବୋଲି କୁହାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ