ବାଲେଶ୍ବର: ରାଜ୍ୟ ସରକାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା କରିବା ପରେ ଆଉଟସୋର୍ସିଂ ପ୍ରଥାର ଉଚ୍ଛେଦ ଲାଗି ଦାବି ଜୋର ଧରିଛି । ଆଉଟସୋର୍ସିଂ ପ୍ରଥାର ବିଲୋପ ଓ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଲାଗି ଦାବି ହେଉଛି । ଏଥିପାଇଁ ଅନେକ ଥର ଆନ୍ଦୋଳନ ଜରିଆରେ ଦାବି ଉପସ୍ଥାପନ କରାଯାଇଥିଲେ ହେଁ ସରକାର କର୍ଣ୍ଣାପାତ କରୁନାହାନ୍ତି । ସ୍ଥାୟୀ ନିଯୁକ୍ତ ଦାବିରେ ଗତବର୍ଷ ନଭେମ୍ବର ୨୬ରେ ରାଜ୍ୟର ଲକ୍ଷାଧିକ ଆଉଟସୋର୍ସିଂ କର୍ମଚାରୀ ରାଜଧାନୀ ରାଜରାସ୍ତାରେ ଧାରଣା ଦେଇଥିଲେ ।
ସେତେବେଳେ ସରକାର ମାସକ ଭିତରେ ଦାବି ପୂରଣର ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । କିନ୍ତୁ ଇତିମଧ୍ୟରେ ତିନି ମାସ ବିତିଥିଲେ ସୁଦ୍ଧା ପ୍ରତିଶ୍ରୁତି ପୂରଣ ହୋଇପାରିନି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ୧୧ ଦଫା ଦାବି ନେଇ ଆସନ୍ତା ୨୫ ତାରିଖରେ ଭୁବନେଶ୍ବର ଲୋୟର ପିଏମଜିଠାରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଆଉଟସୋର୍ସିଂ କର୍ମଚାରୀ । ଏଥିରେ ବାଲେଶ୍ବର ଜିଲାରୁ ହଜାରହଜାର କର୍ମଚାରୀ ଯୋଗଦେବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆହ୍ବାନ କରାଯାଇଛି । ରାଜ୍ୟ ସରାକର ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବାଲେଶ୍ବର ଜିଲ୍ଲା ସଭାପତି ମନୋଜ କୁମାର ରାଉତ ଏହି ଆହ୍ବାନ ଦେଇଛନ୍ତି ।
ଆଉଟସୋର୍ସିଂ କର୍ମଚାରୀଙ୍କ ଦାବିଗୁଡିକ ହେଲା- ଆଉଟସୋର୍ସିଂ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ, କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ, ବାର୍ଷିକ ୧୦ ପ୍ରତିଶତ ଦରମା ବୃଦ୍ଧି, ଦୁର୍ଘଟଣାଜନିତ ସହାୟତା, ମହିଳା କର୍ମଚାରୀଙ୍କୁ ମାତୃକାଳୀନ ଛୁଟି । ଜିଲ୍ଲାର ସରକାରୀ ଦପ୍ତରରେ କାର୍ଯ୍ୟ କରୁଥିବା ଅସହାୟ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଆର୍ଥିକ ଏବଂ ମାନସିକସ୍ତରରେ ନିର୍ଯାତିତ କରାଯାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ରାଜ୍ୟ ସରକାର ଆଉଟସୋର୍ସିଂ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇ ଠକିବା ସହ ଆଗାମୀ ଦିନରେ ଯଦି ସରକାର ଦାବି ପୂରଣ ନକରନ୍ତି ତେବେ କାର୍ଯ୍ୟବନ୍ଦ ଡାକରା ଦିଆଯିବ ବୋଲି ସରକାରୀ ଆଉଟସୋର୍ସିଂ ମହାସଂଘ ଚେତାବନୀ ଦେଇଛି ।
ଆଉଟସୋର୍ସିଂ କର୍ମଚାରୀ ସଂଘର ଅଭିଯୋଗ, ମୁଖ୍ୟମନ୍ତ୍ରୀ ଗତବର୍ଷ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଐତିହାସିକ ନିଷ୍ପତ୍ତି ନେଲେ । ମାତ୍ର ବିଭିନ୍ନ ସ୍ଥାନରେ ଆଉଟସୋର୍ସିଂରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଅଣଦେଖା କଲେ । ସରକାରଙ୍କ ଏପରି ପାତରଅନ୍ତର ନୀତିକୁ ବିରୋଧ କରି ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ବାଲେଶ୍ବର