ବାଲେଶ୍ଵର: ଗଣେଶ ପୂଜା ଭୋଜି ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ । ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ଗଣେଶ ପୂଜାରେ ସ୍କୁଲରେ ହୋଇଥିବା ଭୋଜି ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
କରୋନା କଟକଣା ପାଇଁ ଫିକା ପଡିିଥିଲା ସ୍କୁଲରେ ଗଣେଶ ପୂଜା । ତେବେ ଚଳିତ ବର୍ଷ କଟକଣା ହଟିବା ପରେ ଆଡମ୍ବର ସହିତ ସବୁଆଡେ ଗଜାନନଙ୍କୁ ଆବାହନ କରାଯାଇଥିଲା । ତେବେ ଦୁଇ ବର୍ଷ ପରେ ପୁଣି ଥରେ ଛାତ୍ରଛାତ୍ରୀ ସ୍କୁଲରେ ଗଣେଶ ପୂଜାର ଆୟୋଜନ କରିଥିଲେ । ପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଜୁଣିଆ ଗାଁର ପ୍ରାଇମେରି ସ୍କୁଲରେ ଛାତ୍ରଛାତ୍ରୀ ପାଳିଥିଲେ ଗଣେଶ ପୂଜା । ଗଣେଶ ପୂଜା ପାଇଁ ସ୍କୁଲ ତରଫରୁ ସ୍ବତନ୍ତ୍ର ଭୋଜି ଆୟୋଜନ ହୋଇଥିଲା । ଛାତ୍ରଛାତ୍ରୀମାନେ ପ୍ରଥମେ ସିଦ୍ଧି ଓ ବୁଦ୍ଧିର ଦେବତା ଗଜାନନଙ୍କୁ ଭକ୍ତିର ସହିତ ଆବାହନ କରିଥିଲେ । ପରେ ସ୍କୁଲ ତରୁଫରୁ ଭୋଜି ଆୟୋଜନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ସ୍କୁଲରୁ ଭୋଜି ଖାଇ ଘରକୁ ଫେରିଥିଲେ ।
ହେଲେ ସନ୍ଧ୍ୟା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଜ୍ବର ଆସିଥିଲା । ହେଲେ ଅସୁସ୍ଥ ପିଲାମାନଙ୍କୁ ପରିବାର ଲୋକେ ଡାକ୍ତରଖାନା ନ ନେଇ ଘରେ ଚିକିତ୍ସା କରାଇଥିଲେ । ପରେ ପିଲାମାନଙ୍କର ଅବସ୍ଥାରେ ସୁଧାର ନ ଆସିବାରୁ ସେମାନଙ୍କୁ ପରିବାର ଲୋକେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କର ଚିକିତ୍ସା କରାଯାଇଥିଲା । ତେବେ ସେମାନଙ୍କର ଚିକିତ୍ସା ପରେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ନିକଟରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଦାରୁହା ଗ୍ରାମରେ ଶନିବାର ଜନୈକ ବ୍ୟକ୍ତିଙ୍କ ଘରେ ନାମ ସଂକୀର୍ତ୍ତନ ଅବସରରେ ଭୋଜି ଆୟୋଜନ ହୋଇଥିଲା । ମଧ୍ୟାହ୍ନରେ ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇ ଘରକୁ ଫେରିଥିଲେ । ରବିବାର ସକାଳେ କିଛି ଲୋକଙ୍କ ପେଟ କାଟିବା ସହିତ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବଢ଼ି ଶହେ ଟପି ଯାଇଥିଲା । କିଛି ଲୋକ ସ୍ଥାନୀୟ ଅଞ୍ଚଳରେ ଥିବା ଘରୋଇ ଡାକ୍ତର ଓ ଔଷଧ ଦୋକାନୀଙ୍କଠାରୁ ଔଷଧ ଆଣି ଖାଇଥିବା ବେଳେ ଅନ୍ୟ କିଛି ଲୋକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।
ଇଟିଭି ଭାରତ, ବାଲେଶ୍ବର