ବାଲେଶ୍ବର: ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଡ଼ଖଣ୍ଡର ମୂଷାବଣିରୁ ସେମାନଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତି ଥିବା ନେଇ ମୋଟ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଥିବା ମୟୂରଭଞ୍ଜ ଇନଚାର୍ଜ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗତ 22 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକିଡି ବିଟ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ଶିକାରୀମାନେ ଶିମିଳିପାଳ ଅଞ୍ଚଳରେ ଶିକାର କରି ଫେରୁଥିବା ବେଳେ ସେଠାରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନା ଶିକାରୀମାନଙ୍କୁ ବାରଣ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଶିକାରୀମାନେ ବିମଳଙ୍କୁ ଗୁଳି ଚାଳନା କରିଥିଲେ। ଯେଉଁଥିରେ ବିମଳଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏହି ହତ୍ୟାକାଣ୍ଡରେ 10 ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ମାତ୍ର ଏଥିରେ ସମୁଦାୟ 26 ଜଣ ଶିକାରୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । 26 ଜଣଙ୍କ ମଧ୍ୟରୁ ପୋଲିସ ପର୍ଯ୍ୟାୟ କ୍ରମେ 7 ଜଣଙ୍କୁ ଗିରଫ କରିଛି । ପ୍ରଥମେ 26 ତାରିଖରେ 3 ଜଣ ଅଭିଯୁକ୍ତ, 28 ତାରିଖରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।
ମୟୂରଭଞ୍ଜ ଇନଚାର୍ଜ ଏସପି ସାଗରିକା ନାଥ କହିଛନ୍ତି, "ଗତ 29 ତାରିଖରେ ମୟୂରଭଞ୍ଜ ପୋଲିସର ଏକ 10 ଜଣିଆ ଟିମ ଓ ଝାଡ଼ଖଣ୍ଡ ପୋଲିସର ମିଳିତ ସହଯୋଗରେ ଝାଡ଼ଖଣ୍ଡ ମୂଷାବଣି ଅଞ୍ଚଳରୁ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି । ଝାଡ଼ଖଣ୍ଡରୁ ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଭିଯୁକ୍ତ ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୁକଲାଲ ମାରାଣ୍ଡି, ଶୁକୁରା ସିଂ, ବୁଦ୍ଧଦେବ ସିଂ, କୃଷ୍ଣ ସିଂ, ଗୋବର୍ଦ୍ଧନ ସିଂ, କନ୍ଦା ସିଂ ଓ ଆକାଶ ସିଂ । ଗିରଫ ଅଭିଯୁକ୍ତଙ୍କ ପାଖରୁ 9ଟି ବନ୍ଧୁକ, ଅଚଳ ବନ୍ଧୁକ 4ଟି, ଶିକାରରେ ବ୍ୟବହାର କରାଯାଉଥିବା, ଟାଙ୍ଗିଆ, ଧନୁତୀର, ସାଇକେଲ ବଲ ବ୍ୟାରିଂ ଭଳି ସାମଗ୍ରୀ ଜବତ କରାଯାଇଛି । ଏହାସହ ମୟୂରଭଞ୍ଜ ପୋଲିସର 3ଟି ଟିମ ଶିମିଳିପାଳ ଜଙ୍ଗଲ ପାଟ୍ରୋଲିଂ ଜାରି ରଖିଛନ୍ତି । ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।" ଅନ୍ୟ ଅଭିଯୁକ୍ତମାନେ ଗୁଳି ଚଳନାରେ ସାମିଲ ନଥିବା ବେଳେ ଶିକାରୀମାନଙ୍କ ସହ ରହିଥିବାରୁ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନଚାର୍ଜ ଏସପି କହିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର