ବାଲେଶ୍ବର: ସମସ୍ତଙ୍କୁ ଆବଶ୍ୟକ ଅନ୍ନ । କିନ୍ତୁ ଆଜିକା ଦିନରେ ଚାଷକୁ ଜୀବିକା କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ହେଲେ ଏହି ଚାଷ ଏବେ ହଜାର ହଜାରଙ୍କୁ କରାଉଛି ରୋଜଗାରକ୍ଷମ । ସେ ପୁଣି ମାଛ ଭଳି ଚାଷକୁ ଆପଣାଇ । ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ବାଲେଶ୍ବର ଜିଲ୍ଲା ରେମୁଣାର ବର୍ଦ୍ଧନପୁର ଅଞ୍ଚଳର ଲୋକେ ମାଛଚାଷ କରି ବର୍ଷ ତମାମ ଲାଭବାନ ହେଉଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାକୁ କେବଳ ଚାଷୀ ନୁହେଁ ଜିଲ୍ଲାର ବଡ ବଡିଆ ବାବୁ ବି ସରକାରୀ ଚାକିରୀକୁ ଏଡାଇ ମାଛ ଚାଷ ଭଳି ପେଶାକୁ ଆପଣାଇଛନ୍ତି ।
ଶତକଡ଼ା ୭୦ ଭାଗ ଲୋକ ଏଠାରେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆନ୍ତି । ଧାନ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ପରିବାର ଦିନକୁ ଦୁଇ ଓଳି ପେଟକୁ ଦାନା ନେବାରେ କଷ୍ଟ ଭୋଗୁଥିବା ଅନେକ ସମୟରେ ଦେଖିବାକୁ ମିଳେ । କେତେବେଳେ ଧାନରେ ପୋକ ଲାଗିଲାଣି ତ ପୁଣି କେତେବେଳେ ଉପଯୁକ୍ତ ମାନର ବିହନ ବୁଣା ଯାଇ ନଥିବାରୁ ତାହା ଧାନ ଫଳିବାରେ ବାଧକ ହେଲାଣି । ଧାନ ଚାଷୀଙ୍କ ଉପରେ ପ୍ରକୃତି ଯେତିକି ଦାଉ ସାଧୁଛି ତାଠୁଁ ବହୁ ଗୁଣରେ ସରକାର ଦାଉ ସାଧୁଥିବା ଅଭିଯୋଗ ହେଉଛି । ବର୍ଷସାରା ଅମଳ ଧାନ ବିକ୍ରି କରିବା ପାଇଁ ଚାଷୀକୁ ବାର ଦୁଆର ବୁଲିବାକୁ ପଡ଼ୁଛି । ଶେଷରେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ଚାଷୀ ଅଭାବୀ ଧାନ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ଏମିତି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବାଲେଶ୍ବର ଜିଲ୍ଲାର ସମୁଦ୍ର କୁଳିଆ ଅଞ୍ଚଳ ଓ ଗାଁ ଗହଳିରେ ଧାନ ଚାଷ ସହ ଅନ୍ୟ ଚାଷ କରୁଥିବା ଦେଖିବାକୁ ମିଳିଛି । ଧାନଚାଷର କ୍ଷତିକୁ ଭରଣା କରିବା ପାଇଁ ଚାଷୀମାନେ ମାଛ ଛାଷଠାରୁ ଆରମ୍ଭ କରି କୁକୁଡ଼ା ଓ ଦୁଗ୍ଧ ଚାଷ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି ।
ଏମିତି ଏକ ଚାଷ ଉପରେ ପର୍ଯ୍ୟାଲୋଚନା କରିବା ପାଇଁ ବାଲେଶ୍ବରରେ ପହଞ୍ଚିଥିଲେ ଆମ ଇଟିଭି ଭାରତ ସମ୍ବାଦଦାତା । ବାଲେଶ୍ବର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀର ବର୍ଦ୍ଧନପୁର ଅଞ୍ଚଳ । ଯେଉଁଠି ହଜାର ହଜାର ଏକରରେ ହୋଇଛି ମାଛ ଚାଷ । ମଧୁର ମାଛ ଠାରୁ ଆରମ୍ଭ କରି ଚିଙ୍ଗୁଡ଼ି ଯାଏ ଚାଷ କରାଯାଇଥିବା ଦେଖିବାକୁ ମିଳିଥିଲା । ଚାଷୀ ବିରଞ୍ଚି ନାରାୟଣ ପଣ୍ଡା । ସେ ୧୯୯୧ ମସିହାରେ ଲାବ୍ରୋଟାରୀ ଟେକ୍ନିସିଆନ ଚାକିରି ଛାଡ଼ି ମାଛ ଚାଷକୁ ଆପଣେଇ ନେଇଛନ୍ତି । ପାଖାପାଖି ୪୦ ଏକର ଜମିରେ ମାଛଚାଷ କରି ଅତି ଆନନ୍ଦର ସହ ବଞ୍ଚୁଥିବା ସେ କହିଛନ୍ତି । ସେହିପରି ଚାଟାର୍ଡ ଆକାଉଣ୍ଟାଣ୍ଟ ଚାକିରି ଛାଡ଼ି ଅନିରୁଦ୍ଧ ବଳ ମଧ୍ୟ ଆପଣେଇ ନେଇଛନ୍ତି ମାଛ ଚାଷକୁ ।
ମାଛ ଚାଷ କରି ଜଣେ ଚାଷୀ ଯେତିକି ଲାଭବାନ ହେଉଛି ତାଠୁ ବଡ଼ କଥା ହେଲା ପ୍ରତିବର୍ଷ ଶତାଧିକ ବେରୋଜଗାର ଯୁବକଙ୍କୁ ଏଥିରେ ନିଯୁକ୍ତ କରାଯାଉଛି । ଅନେକ ଶିକ୍ଷିତ ଯୁବକ ଏବେ ମାଛଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ମାଛ ଚାଷ କରିବା ପାଇଁ ସରକାରୀ ସ୍ତରରେ ଚାଷୀଙ୍କୁ ସବସିଡି ବ୍ୟବସ୍ଥା ମଧ୍ୟ ରହିଛି । ମାତ୍ର ଏହା ବାବଦରେ ସଚେତନତା ଅଭାବରୁ ଏବେବି ଚାଷୀ ଚାଷ ପାଇଁ ମନ ବଳାଇ ପାରୁନାହାଁନ୍ତି । ସରକାରୀ ସ୍ତରରେ ମାଛଚାଷୀଙ୍କୁ ଯାଆଁଳ ଯୋଗାଇ ଦିଆଯାଉଥିବାବେଳେ ଏହି ଯାଆଁଳ ବଢ଼ିବା ପାଇଁ ଲାଗେ ୬ ମାସ । ସେହିପରି ଚିଙ୍ଗୁଡ଼ି ୪ମାସରେ ବିକ୍ରି ଉପଯୋଗୀ ହୋଇଥାଏ ।
ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ବିକ୍ରି କରି ମାଛଚାଷୀମାନେ ବେଶ ଲାଭବାନ ହେଉଥିବା ସେମାନେ କହିଛନ୍ତି । ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ମାଛ ଗାଡିଆରୁ ଧରାଯାଇ ବଜାରକୁ ପଠାଯାଇଥାଏ । ସବୁଠୁ ବଡ଼ କଥା ହେଲା ବର୍ଷସାରା ମାଛଚାଷ କରି ଜଣେ ଚାଷୀ ଲାଭବାନ ହୋଇ ପାରୁଥିବା ଜଣାପଡ଼ିଛି ।
ହେଲେ ଏତେ ସବୁ ପରେ ବି ଖୁସ ନାହାଁନ୍ତି ଚାଷୀ । ରହିଛି ଅନେକ ସମସ୍ୟା । ଏବେ ବି ଏପରି ବହୁ ଚାଷୀ ମାଛଚାଷ ପାଇଁ ମନ ବଳାଇ ପାରୁନାହାଁନ୍ତି । ଆଉ ଏହାର କାରଣ ହେଉଛି ସରକାରୀ ସ୍ତରରେ ସଚେତନତାର ଅଭାବ । ଏହାସହ ବାଲେଶ୍ବରରେ ଉପଯୁକ୍ତ ଆକ୍ସନ ବଜାର ନଥିବାରୁ ଚାଷୀମାନେ ମାଛ ବିକ୍ରି କରିବା ପାଇଁ ମଧ୍ୟ ଅସୁବିଧା ଭୋଗୁଛନ୍ତି । ମାଛ ଫାର୍ମକୁ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥା ଠିକ ଭାବେ ହୋଇନାହିଁ । ଯଦି ସରକାରୀ ସ୍ତରରେ ମାଛ ଚାଷକୁ ନେଇ ସଚେତନତା ସହ ଉନ୍ନତ ଜ୍ଞାନ କୌଶଳ ବିଷୟରେ ଅବଗତ କରାଯାଏ ତେବେ କେବଳ ବାଲେଶ୍ବର ନୁହେଁ ସମଗ୍ର ଓଡିଶାରେ ମାଛ ଚାଷକୁ ଲୋକେ ଆପଣାଇବେ । ଏହାସହ ମାଛ ଛାଷ ଅନେକ ଯୁବକଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିବ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ