ବାଲେଶ୍ବର: ଜିଲ୍ଲାର ଫକୀରମୋହନ ବିଶ୍ବବିଦ୍ୟାଳୟର ନୂଆପାଢ଼ୀ କ୍ୟାମ୍ପସ ପରିସରରେ ଗୁରୁବାର ‘ଆଇ ଲଭ ମାଇଁ ୟୁନିର୍ଭସିଟି’ ନାମରେ ଏକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ ଯୋଗ ଦେଇ ବିଶ୍ବବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ବିଶ୍ବବିଦ୍ୟାଳୟର ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୁଳପତି ପ୍ରଫେସର ସାହୁ କାର୍ଯ୍ୟକ୍ରମର ଉଦଘାଟନ କରି ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଗବେଷଣା ଅନୁଷ୍ଠାନଗୁଡିକ ଏକ ସ୍ବତନ୍ତ୍ର କ୍ଷେତ୍ର ଯେଉଁଠାରେ ଜ୍ଞାନ, ଆଦର୍ଶ, ମୂଲ୍ୟବୋଧ ଶିକ୍ଷା ଓ ଭାବନାର ଆଦାନ ପ୍ରଦାନ କରିବା ସହିତ ସ୍ବାବଲମ୍ବୀ ହେବା ପାଇଁ କହିଥିଲେ ।
ସେ ଆହୁରି କହିଛନ୍ତି ଯେ କର୍ମଚାରୀମାନେ ଅଧିକରୁ ଅଧିକ ସମୟ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଅତିବାହିତ କରି ଗୁଣାତ୍ମକ କାର୍ଯ୍ୟପନ୍ଥା ଅନୁସରଣ କରିବାର ଆବଶ୍ୟକତା ରହିଛି ଏବଂ ଏଥିଲାଗି ପ୍ରଥମେ ନିଜ ବିଶ୍ବବିଦ୍ୟାଳୟକୁ ଭଲ ପାଇବା ପାଇଁ ସେ ଆହ୍ବାନ ଦେଇଥିଲେ। ସେହିପରି ପୁରାତନ ଛାତ୍ରଛାତ୍ରୀ ଯେକୌଣସି କ୍ଷେତ୍ରରେ ରହିଥିଲେ ମଧ୍ୟ ସେମାନଙ୍କର ଅନୁଷ୍ଠାନ ପ୍ରତି ଆକର୍ଷଣ ନିଶ୍ଚୟ ରହିଛି ।
ଏହି ଦୃଷ୍ଟିରୁ ବିଚାର କଲେ ‘ଆଇ ଲଭ ମାଇଁ ୟୁନିର୍ଭସିଟି ଆଣ୍ଡ ଉଇ ବିଲିଭ ଇନ ଏକ୍ସିଲେନ୍ସ’ ଚିନ୍ତାଧାରା ନିଆଯାଇଥିଲା । ପ୍ରଫେସର ସାହୁ ଅଭିଯାନର ଶୁଭାରମ୍ଭ ବେଳେ ‘ଆଇ ଲଭ ମାଇଁ ୟୁନିଭର୍ସିଟି’ ଲେଖାଥିବା ଏକ କଫି କପ୍ର ଉନ୍ମୋଚନ କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ