ବାଲେଶ୍ବର: ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ଆଜି ବି ମନେ ପଡିଲେ ଛାତି ଥରି ଉଠୁଛି । ଏହାରି ଭିତରେ ବାଲେଶ୍ବରରେ ଜଣେ ରେଳ ଫାଟକ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ପୁଣି ଏକ ବଡ ଦୁର୍ଘଟଣା ଘଟିବାରୁ ଟଳି ଯାଇଛି । ଜଣେ ରେଲୱେ ଗେଟକିପର ଅତ୍ୟଧିକ ମଦ୍ୟପାନ କରି ନିଶାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଟକ ଖୋଲା ଛାଡି ଦେଇଥିଲେ । ଗୋଟିଏ ଟ୍ରେନ ଅତିକ୍ରମ କରିଥିଲେ ହେଁ ସେ କିଛି ଜାଣି ପାରିନଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଆସି ଫାଟକ ପକାଇଥିଲେ । ପରେ ଆଉ ଗୋଟିଏ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ରେଳ ଫାଟକ ଅତିକ୍ରମ କରିଥିଲା । ଘଟଣାଟି ଦକ୍ଷିଣ ପୂର୍ବ ରେଳପଥର ଅମର୍ଦ୍ଦାରୋଡ଼ ଓ ବସ୍ତା ଷ୍ଟେସନ ମଧ୍ୟବର୍ତ୍ତୀ ନାରଙ୍ଗାବାଜ ଅଞ୍ଚଳର ।
ସୂଚନା ଅନୁସାରେ, ଅନେକ ଗୁଡିଏ ଦୁର୍ଘଟଣା ଘଟିବା ଯୋଗୁଁ ବହୁ ଦାବି ପରେ ନାରଙ୍ଗାବାଜରେ ଏକ ଗେଟ୍ ଗୃହ ନିର୍ମାଣ ହୋଇଛି । ହେଲେ ସିଗନାଲ କାର୍ଯ୍ୟ ଷ୍ଟେସନ ଦ୍ବାରା ସମ୍ପାଦନ ହୋଇଥାଏ । ଷ୍ଟେସନରୁ ଟ୍ରେନ ଆସିବାର ଖବର ପାଇବା ପରେ ଗେଟକିପର ଫାଟକ ପକାଇଥାନ୍ତି । ଗତକାଲି ଅମର୍ଦ୍ଦାରୋଡ଼ ସାପ୍ତାହିକ ହାଟ ଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଉକ୍ତ ଫାଟକ ପାର୍ ହୋଇ ହାଟ କରିବାକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ରେଳ ଫାଟକ କର୍ମଚାରୀ ମଦ ନିଶାରେ ଚୂର ଥିବା ସମୟରେ ଅମର୍ଦ୍ଦାରୋଡ଼ରୁ ବସ୍ତା ଅଭିମୁଖେ ଏକ ଟ୍ରେନ ଖୋଲାଥିବା ଫାଟକକୁ ଅତିକ୍ରମ କରିଥିଲା ।
ଏହାମଧ୍ୟ ପଢନ୍ତୁ: ପୁଣି ଟ୍ରେନ ଅଘଟଣ, ୩୦ଟି ବଗି ଛାଡି ମାଲବାହୀ ଟ୍ରେନ ଛୁ
ଏହି ସମୟରେ ହାଟରୁ ଫେରୁଥିବା ଲୋକେ ବସ୍ତା ପଟୁ ଅମର୍ଦ୍ଦାରୋଡ଼ ଅଭିମୁଖେ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରେନ ବ୍ରାହ୍ମଣଦା ଷ୍ଟେସନ ପାର ହେବା ଦେଖି ରେଳ ଫାଟକ କର୍ମଚାରୀଙ୍କୁ ଫାଟକ ପକାଇବାକୁ କହିଥିଲେ । ମାତ୍ର ଗେଟକିପର ଜଣକ ମଦ ନିଶାରେ ଚୁର ଥିବାରୁ ଫାଟକ ପକାଇବା ଅବସ୍ଥାରେ ନଥିଲେ । ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଫାଟକ ପକାଇବା ପରେ ମାଲବାହୀ ଟ୍ରେନଟି ଉକ୍ତ ଫାଟକକୁ ଅତିକ୍ରମ କରିଥିଲା । ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗୋଟିଏ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ପରେ ଅମର୍ଦ୍ଦାରୋଡ଼ ଷ୍ଟେସନକୁ ଖବର ଦିଆଯିବା ପରେ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ଆସି ପହଞ୍ଚି ଥିଲେ । ତେବେ କାର୍ଯ୍ୟରତ ଫାଟକ କର୍ମଚାରୀ ଜଣକ ହେଲେ ଗୋପାଳ ଓ ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲି ରାତି ୮ଟା ବେଳେ ଏହି ଘଟଣା ଘଟିଥିଲା ।
ଇଟିଭି ଭାରତ, ବାଲେଶ୍ବର