ବାଲେଶ୍ବର: ଭଲପାଇବା ଯେ କେବଳ ମଣିଷ ସହ ହୋଇପାରେ ତାହା ନୁହେଁ । ମଣିଷ ବି ପଶୁ ଓ ପଶୁ ବି ମଣିଷ ପ୍ରେମରେ ପଡିପାରେ । ପଶୁ ପ୍ରେମର ଏମିତି ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ତାମୂଳିଆ ଅଞ୍ଚଳରେ ।
ଗୋଟିଏ ପରିବାର ଭିତରେ ରହୁଛନ୍ତି 4 ମଣିଷ ଓ 40 ବିଲେଇ । ପଶୁ ମଣିଷର ନିବିଡ ପ୍ରେମରେ ବନ୍ଧା ଡାକ୍ତର ପ୍ରଫୁଲ୍ଲ ପଣ୍ଡାଙ୍କ ପରିବାର । ଛାଡି ରହିବା ତ ଦୂରର କଥା ଏଇ ବିଲେଇମାନଙ୍କୁ ଦଣ୍ଡେ ନ ଦେଖିଲେ ମନ ବୁଝେନା ପଣ୍ଡା ପରିବାରର । ତେବେ ଆଜି ବି ବିଲେଇ ଦେଖିଲେ ବହୁ ଶିକ୍ଷିତ ଲୋକ ଅଶୁଭ ବୋଲି ଭାବିଥାନ୍ତି । କୁହନ୍ତି, ଧେତ୍ ବିଲେଇଟା ବାଟ କାଟି ଦେଲା । ମାତ୍ର ପଣ୍ଡା ପରିବାଙ୍କ ବିଲେଇ ପ୍ରେମ ସତରେ ନିଆରା ।
ଆଜିକୁ ପ୍ରାୟ 6 ବର୍ଷ ହେଲା ପ୍ରଫୁଲଙ୍କ ପରିବାର ସଦସ୍ୟ ହୋଇ ରହିଛନ୍ତି ଏଇ ବିଲେଇମାନେ । ଘର ଭିତରକୁ ପଶି ମାତ୍ରେ ସର୍ବତ୍ର ନଜର ଆସିବେ ବିଲେଇ । ସତେ ଯେମିତି ବିଲେଇଙ୍କ ଘରେ ରହୁଛନ୍ତି ମଣିଷ । ସେହିପରି ଏଭି ବିଲେଇଙ୍କ ରହିଛି ଭଳିକି ଭଳି ନାଁ । ଯାହାକୁ ଯେଉଁ ନା ଧରି ଡାକିଲେ ସାଙ୍ଗେ ସାଙ୍ଗେ ଡୌଡି ଆସନ୍ତି ପାଖକୁ । ପ୍ରଫୁଲ୍ଲଙ୍କ ବଡ଼ ଝିଅ ବିସ୍ମିତା ଓ ସାନ ଝିଅ ଅଙ୍କିତା ବିଲେଇମାନଙ୍କ ଯତ୍ନ ନେଇଥାନ୍ତି ।
ଅବଶ୍ୟ ବିଲେଇ ରଖିବା ଯୋଗୁଁ ପରିବାର ଲୋକଙ୍କୁ ଅନେକ ଟାହି ଟାପରା ଶୁଣିବାକୁ ମିଳୁଛି । ହେଲେ ପରିବାର ପୁରା ବିଳେଇଙ୍କ ପ୍ରେମରେ ବାନ୍ଧି ହୋଇଯାଇଛି । ବିଲେଇମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟଠାରୁ ଆରମ୍ଭ କରି ସେମାନଙ୍କ ଶୋଇବା ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଇଛି । ଏମିତି ଶୀତ ଦିନେ ରୁମ ହିଟର ଓ ଗରମ ଦିନେ ବିଲେଇମାନେ ଏସିରେ ଶୋଇଥାନ୍ତି । ପଣ୍ଡା ପରିବାଙ୍କ ବିଲେଇ ପ୍ରେମ ସତରେ ନିଆରା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ