ବାଲେଶ୍ବର: ପେସାରେ ସାମ୍ବାଦିକ । ନିଶା ଫଟୋ ସଂଗ୍ରହ । ଲକ୍ଷ୍ୟ ଭବିଷ୍ୟତ ପିଢିକୁ ଇତିହାସ ଜଣାଇବା । ଏପରି ମହାନ ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ବାଲେଶ୍ବର ଇଞ୍ଚୁଡିର ଫଟୋ ମଣିଷ ସର୍ବେଶ୍ବର ଦାସ ।
ଫଟୋ ସଂଗ୍ରହ କିଛି ନୂଆ କଥା ନୁହେଁ । କିନ୍ତୁ ଅତୀତର ବିରଳ ଫଟୋ ସାଇତି ରଖିବା ନିଶ୍ଚୟ ପ୍ରଶଂସନୀୟ ଉଦ୍ୟମ । ଆଧୁନିକ ଯୁଗର ପିଲା ମୋବାଇଲ ଓ ଇଣ୍ଟରନେଟ ଭିତରେ ନିଜକୁ ହଜାଇ ଦେଉଛନ୍ତି । ଅତୀତର ଗୌରବମୟ ଇତିହାସ ଜାଣିବା ସେମାନଙ୍କ ଲାଗି କଷ୍ଟକର । ଏପରି ସ୍ଥିତିରେ ସର୍ବେଶ୍ବର ଲାଗିଛନ୍ତି ଏକ ନୂଆ ଅଭିଯାନରେ । ତାଙ୍କ ପାଖରେ ଏବେ ସ୍ବାଧୀନତା ପୂର୍ବ ଓ ପରର 22 ହଜାରରୁ ଉର୍ଦ୍ଧ୍ବ ଫଟୋ ।
ଛାତ୍ର ଜୀବନରୁ ତାଙ୍କର ଏ ନିଶା । ପାଇକ ବିଦ୍ରୋହ ହେଉ କି ଭାରତ ଛାଡ ଆନ୍ଦୋଳନ । ମହାତ୍ମା ଗାନ୍ଧୀଙ୍କ ପ୍ରତି ମୁହୂର୍ତ୍ତର ଫଟୋ । ଦେଶ ଓ ରାଜ୍ୟ ରାଜନୀତିର ହେଭିୱେଟଙ୍କ ଫଟୋ । ସର୍ବେଶ୍ବରଙ୍କ ପାଖରେ ସବୁପ୍ରକାର ଫଟୋ । ଫଟୋର ଇତିହାସ ଓ ତାହାର ସମସ୍ତ ତଥ୍ୟ ତାଙ୍କ ପାଖରେ ଉପଲବ୍ଧ ।
ଆଗାମୀ ପିଢୀକୁ ଇତିହାସ ଚିହ୍ନାଇବା ପାଇଁ ବିଭିନ୍ନ ସ୍କୁଲ କଲେଜରେ ସେ କରନ୍ତି ଫଟୋ ମେଳା । ଖଣ୍ଡେ ଟାଇଲ ଛପର ଘର । ମଣିଷ ବଞ୍ଚିବା କଷ୍ଟସାଧ୍ୟ । କିନ୍ତୁ ଫଟୋକୁ ଖୁବ ଯତ୍ନରେ ସାଇତି ରଖିଛନ୍ତି ସର୍ବେଶ୍ବର । ଏଥିପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ସମ୍ମାନିତ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ