ବାଲେଶ୍ବର: ରାଜ୍ୟରେ କେହିବି ଚିକିତ୍ସା ଅଭାବରୁ ବଞ୍ଚିତ ହେବେ ନାହିଁ । ଚିକିତ୍ସା ପାଇଁ ଟଙ୍କାର ଅଭାବ ରହିବ ନାହିଁ । ସମସ୍ତଙ୍କୁ ନିଶ୍ଚିତ ଚିକିତ୍ସା ଯୋଗାଇ ଦିଆଯିବ । ଏଇଥିପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ହେଲେ ଯୋଜନା ବାଟରେ ଯୋଜନା ଅଛି ରାଜ୍ୟବାସୀ ଯେମିତି ଦୁର୍ଦ୍ଦଶା ଭୋଗୁଥିଲେ ସେମିତି ଭୋଗୁଛନ୍ତି । କେଉଁଠି ଚିକିତ୍ସା ସେବା ନପାଇ ଲୋକ ମୃତ୍ୟୁ ବରଣ କରୁଛନ୍ତି ତ କେଉଁଠି ଘରୋଇ ହସ୍ପିଟାଲରେ ପଇସା ଦେଇନପାରି ରୋଗୀ ବନ୍ଧା ପଡୁଛନ୍ତି ।
ପୁଣିଥରେ ଚିକିତ୍ସା ପାଇଁ ଟଙ୍କା ଦେଇନପାରିବାରୁ ରାଜ୍ୟ ବାହାରେ ବନ୍ଧା ପଡିଛନ୍ତି ଜଣେ ରୋଗୀ । ଏମିତି ଏକ ଚାଞ୍ଚଲ୍ୟକର ଖବର ଆସିଛି ବାଲେଶ୍ବର ଜିଲ୍ଲାରୁ । ଘଟଣା ଅନୁସାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଚକ ମହାସମପୁର ଗ୍ରାମର ଦୀନବନ୍ଧୁ ପଢିହାରି ବେଙ୍ଗାଲୁରୁରେ ରୋଷେୟା ଭାବେ କାମ କରନ୍ତି । ସ୍ତ୍ରୀ ଓ 8 ବର୍ଷର ପୁଅ ସୁବ୍ରତଙ୍କୁ ନେଇ ହସଖୁସିରେ ଚାଲିଥିବା ତାଙ୍କ ପରିବାର । ହଠାତ୍ ପୁଅ ସୁବ୍ରତ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ପରେ ଡେଙ୍ଗୁ ରୋଗରେ ପୀଡିତ ହୋଇଥିଲେ ମଧ୍ୟ । ଏଥିରୁ ସୁସ୍ଥ ହେବାପରେ ସୁବ୍ରତଙ୍କ ଆଖି ଦେଖାଗଲା ନାହିଁ । ପୁଣିଥରେ ଜ୍ବର ହେବାରୁ କୋମାକୁ ଚାଲିଗଲେ । ପରୀକ୍ଷା ନିରୀକ୍ଷାରୁ ଜଣା ପଡିଲା ଯେ ସୁବ୍ରତ ମାଇସ୍ଥେନିଆ ଗ୍ରେଭିସ ନାମକ ଏକ ଅଜଣା ରୋଗ ହୋଇଛି । ଫଳରେ ବାପା ମା ସୁବ୍ରତଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସମସ୍ତ ପରୀକ୍ଷା ପରେ ଏହି ରୋଗର ଚିକିତ୍ସା ପାଇଁ 10ରୁ 15 ଲକ୍ଷ ଟଙ୍କା ଲାଗିବ ବୋଲି କହିଥିଲେ ।
ଗରିବ ଦୀନବନ୍ଧୁ ପଢିହାରି ଏତେ ଟଙ୍କା ଶୁଣି ହତାସ ହୋଇପଡିଥିଲେ ମଧ୍ୟ ପୁଅର ଜୀବନ ଓ ଭବିଷ୍ୟତ ପାଇଁ ନିଜର ସମସ୍ତ ଜମିବାଡି ବିକ୍ରିକରି ଚିକିତ୍ସା କରାଇଲେ । ଗତ 19 ତାରିଖରେ ସୁବ୍ରତଙ୍କ ଅପରେସନ ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁବ୍ରତଙ୍କ ପରିବାର ହସ୍ପିଟାଲକୁ 20ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦେଇ ସାରିଛନ୍ତି । ଡାକ୍ତର ମଧ୍ୟ ହସ୍ପିଟାଲରୁ ଯିବା ପାଇଁ କହିସାରିଛନ୍ତି ଏବଂ ଆବଶ୍ୟକୀୟ ପରାର୍ମଶ ଦେଇଛନ୍ତି । ହେଲେ ଏବେ ସମସ୍ୟା ହେଉଛି ଟଙ୍କା । ଜଣେ ଗରିବ ବାପା ନିଜ ସର୍ବସ୍ବ ଶେଷ କରି 20 ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷ ଆହୁରି 13 ଲକ୍ଷ ଟଙ୍କାର ବିଲ ଦେଇଛନ୍ତି । ଆଉ କହିଛନ୍ତି 13 ଲକ୍ଷ ଟଙ୍କା ଦିଅ ପୁଅକୁ ନେବ , ନଚେତ ପୁଅ ବନ୍ଧା ପଡିବ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ଧମକ ଶୁଣି ପରିବାର ଏବେ ହତ୍ବାକ । 13ହଜାର ଦେବା ପାଇଁ ସକ୍ଷମ ନଥିବା ଦୀନବନ୍ଧୁ 13ଲକ୍ଷ ଦେବେ କେମିତି ।
ଏପରି ସ୍ଥଳେ ପୁଅକୁ କେମିତି ନେବେ ମେଡିକାଲରୁ ଘରକୁ ସେଇ ଚିନ୍ତାରେ ଦିନ କାଟୁଛନ୍ତି ଦିନବନ୍ଧୁ । ନିଜ ପୁଅକୁ ଫେରାଇ ନେବା ପାଇଁ ସେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । କାରଣ 13 ଲକ୍ଷ ଟଙ୍କା ଦେବା କୌଣସି ମତେ ସେ ସକ୍ଷମ ନୁହଁନ୍ତି । ଯେଉଁଥିପାଇଁ ସୂଦୁର ବେଙ୍ଗାଲୁରରୁ ଦୀନବନ୍ଧୁ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ଯଦି ସରକାର ସହାୟତା କରିବେ ନାହିଁ ସେ ଶେଷରେ ନିଜ କିଡନୀ ବିକ୍ରି କରି ପୁଅକୁ ଆଣିବେ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି । ଆପଣ ମାନେ ଯଦି କେହି ଅସହାୟ ଦିନବନ୍ଧୁଙ୍କୁ ସହାୟତା କରିବା ପାଇଁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ- +919036470104 ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ